ରାତି ପାହିଲେ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ
ପୁରୀ: ରାତି ପାହିଲେ ମହାପ୍ରଭୁଙ୍କର ହେବ ନବଯୌବନ ଦର୍ଶନ । ପରେ ପାଳିତ ହେବ ନେତ୍ରୋତ୍ସବ। ନବଯୌବନ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମୟ ନିର୍ଘଣ୍ଟ ଜାରି କରିଛି ।
ଦୀର୍ଘ ୧୫ ଦିନ ହେବ ଶ୍ରୀମନ୍ଦିରରେ ନ ଥିଲା ଭକ୍ତଙ୍କ ଗହଳି । ମହାପ୍ରଭୁ ଜ୍ୱରରେ ପଡ଼ିଥିଲେ। ଚାଲିଥିଲା ଅଣସର ନୀତି । ଏହି ସମୟରେ ଶ୍ରଦ୍ଧାଳୁମାନେ ବ୍ରହ୍ମଗିରି ଅଲରାନାଥଙ୍କ ଦର୍ଶନ କରିବାକୁ ଭିଡ଼ ଜମାଉଥିଲେ। ମହାପ୍ରଭୁ ସୁସ୍ଥ ହୋଇ ସାରିଲେଣି । ଆଉ ମାତ୍ର କେଇ ଘଣ୍ଟା ପରେ ନବଯୌବନ ବେଶରେ ଦର୍ଶନ ଦେବାକୁ ଯାଉଥିବାରୁ ଭକ୍ତଙ୍କ ମନ ଅଧୀର ହୋଇ ପଡ଼ିଲାଣି। ରାତି ପାହିଲେ ମିଳିବ ମହାପ୍ରଭୁଙ୍କ ଦର୍ଶନ ।ଆସନ୍ତାକାଲି ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ ହେବ । ପରେ ସକାଳ ୯ଟାରୁ ୧୦ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ ହେବ । ଦିନ ୨ଟାରୁ ୩ଟା, ସନ୍ଧ୍ୟା ୬ଟାରୁ ୬ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ କରାଯାଇଛି ।
ରାତି ୯ଟାରୁ ୧୦ଟା ୩୦ ଓ ରାତି ସାଢ଼େ ୧୧ରୁ ସାଢ଼େ ୧୨ଟା ପର୍ୟ୍ୟନ୍ତ ଦର୍ଶନ ବ୍ୟବସ୍ଥା ହୋଇଛି। ବିଶେଷ ନୀତି ପାଇଁ ସକାଳ ସାଢ଼େ ୧୦ରୁ ଦିନ ୨ଟା, ୩ଟାରୁ ୬ଟା ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ସାଢ଼େ ୬ଟାରୁ ରାତି ୯ଟା ଓ ରାତି ସାଢ଼େ ୧୦ରୁ ସାଢ଼େ ୧୧ ଦର୍ଶନ ବନ୍ଦ ରହିବ ।
ଦୁଇବର୍ଷର ବ୍ୟବଧାନ ପରେ ଏଥର ଭକ୍ତ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ ପାଇପାରିବେ ।
Comments are closed.