ରାହୁଲଙ୍କୁ ଝଟକା, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ : ମୋଦି ସରନେମ ମାମଲାରେ ତଳ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଗୁଜରାଟ ହାଇକୋର୍ଟ ଯାଇଥିବା ରାହୁଲ ଗାନ୍ଧିଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ଓ ତଳ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ଫଳରେ ରାହୁଲ ପାଇଥିବା ୨ ବର୍ଷ ଜେଲଦଣ୍ଡାଦେଶ କାଏମ ରହିଛି। ଆଉ ରାହୁଲଙ୍କ ଲୋକସଭା ସଦସ୍ୟ ପଦ ଫେରି ପାଇବା ଆଶା ମଉଳି ଯାଇଛି। ତେବେ ସେ ସୁପ୍ରିମକୋର୍ଟରେ ଆବେଦନ କରିବେ ବୋଲି ଜଣାପଡ଼ିଛି।
ଗୁଜରାଟ ହାଇକୋର୍ଟ ତଳ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ ହେଁ ରାହୁଲ ଏବେ ଜେଲ୍ ଯିବେ ନାହିଁ। କାରଣ ତଳ କୋର୍ଟ ପୂର୍ବରୁ ତାଙ୍କୁ ଜାମିନ ମିଳି ସାରିଛି। ଯଦି ଆଜି ଗୁଜରାଟ ହାଇକୋର୍ଟ ରାହୁଲଙ୍କ ସପକ୍ଷରେ ରାୟ ଶୁଣାଇଥା’ନ୍ତେ, ତା’ହେଲେ ରଦ୍ଦ ହୋଇଯାଇଥିବା ଲୋକସଭା ସଦସ୍ୟ ପଦ ସେ ପୁଣି ଫେରି ପାଇଥାଆନ୍ତେ।
ଗତ ମେ’ ମାସରେ ଗୁଜରାଟ ହାଇକୋର୍ଟ ରାହୁଲ ପାଇଥିବା ୨ ବର୍ଷ ଜେଲ ଦଣ୍ଡାଦେଶ ଉପରେ ଅନ୍ତରୀଣ ରୋକ ଲଗାଇବାକୁ ମନା କରି ଦେଇଥିଲେ। ଗ୍ରୀଷ୍ମ ଅବକାଶ ପରେ ତାଙ୍କ ଆବେଦନ ଉପରେ ରାୟ ଦେବେ ବୋଲି କୋର୍ଟ କହିଥିଲେ।
୨୦୧୯ ସାଧାରଣ ନିର୍ବାଚନ ପ୍ରଚାର ବେଳେ ରାହୁଲ ଗାନ୍ଧି କୋଲାରରେ ଭାଷଣ ଦେଉଥିଲେ। ଏହି ସମୟରେ ସେ କହିଥିଲେ ଯେ କେମିତି ସମସ୍ତ ଚୋରଙ୍କ ସରନେମ ମୋଦି? ତାଙ୍କର ଏହି ବୟାନକୁ ନେଇ ବିଜେପି ଆଟାକିଂ ମୁଡକୁ ଆସିଥିଲା। ରାହୁଲ ଗାନ୍ଧି ଓବିସିମାନଙ୍କୁ ଅପମାନିତ କରିଥିବା ଦଳ ଅଭିଯୋଗ କରିଥିଲା। ଏଥିସହ ଗୁଜରାଟ ବିଜେପି ନେତା ପୁର୍ଣ୍ଣେଶ ମୋଦି କୋର୍ଟଙ୍କ ଦ୍ୱାରସ୍ଥ ହୋଇ ରାହୁଲ ଗାନ୍ଧିଙ୍କ ନାଁରେ ଅପରାଧିକ ମାନହାନୀ କେସ୍ କରିଥିଲେ।
Comments are closed.