ଏମିତି କିଛି କହି ବିଜେପିକୁ ସମାଲୋଚନା କଲା ଶିବସେନା

ନୂଆଦିଲ୍ଲୀ: ଶିବସେନା ମୁଖପତ୍ର ସାମନା ମାଧ୍ୟମରେ ବିଜେପିକୁ କଡ଼ା ସମାଲୋଚନା କରିଛି। ଉଦ୍ଧବ ଠାକରେଙ୍କ ଦଳ ‘ଅପରେସନ୍ ଲୋଟସ୍’ କୁ ଆତଙ୍କବାଦୀ ସଂଗଠନ ଅଲକାଏଦା ସହିତ ତୁଳନା କରିଛି। ଏଥି ସହ ଆତଙ୍କବାଦକୁ ବିଜେପି ସହ ଯୋଡ଼ିଛି । ଶିବସେନା ପକ୍ଷରୁ କୁହାଯାଇଛି ଯେ ଆମ୍ ଆଦମୀ ପାର୍ଟି ସରକାରକୁ ହଟାଇବା ପାଇଁ କରାଯାଇଥିବା ଅପରେସନ୍ ଲୋଟସ୍ ବିଫଳ ହୋଇଛି। ସରକାର ଚୟନ କରିବା ବଦଳରେ ବିରୋଧୀଙ୍କ ସରକାରକୁ ଭାଙ୍ଗିବା ଏବଂ ଦଳ ଭାଙ୍ଗିବା ଭଳି ରାଜନୈତିକ ଘଟଣା ଘଟୁଛି। ଏହି କାରଣରୁ ବିଷ୍ଣୁଙ୍କ ପ୍ରିୟ ଫୁଲ ‘ପଦ୍ମଫୁଲ’ ବଦନାମ ହୋଇଛି।

‘ଅପରେସନ୍ ଲୋଟସ୍’ ଅଲ କାଏଦା ପରି ଆତଙ୍କବାଦୀ ଶବ୍ଦରେ ପରିଣତ ହୋଇଛି। ଶିବସେନା କହିଛି ଯେ ଦିଲ୍ଲୀ ସରକାରକୁ ଭାଙ୍ଗିବାକୁ ଆରମ୍ଭ ହୋଇଥିବା ଅପରେସନ୍ କମଲ ବିଫଳ ହୋଇଛି। ସାମନାରେ ଲେଖାଯାଇଛି ଯେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି ଚନ୍ଦ୍ରଶେଖର ରାଓ ଅମିତ ଶାହାଙ୍କୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଛନ୍ତି ଯେ ‘ଇଡି, ସିବିଆଇ ଇତ୍ୟାଦି ଲଗାଇ ମୋ ସରକାର ଭାଙ୍ଗିକି ଦେଖାନ୍ତୁ’।

ଆପ ନେତା ମନୀଷ ସିସୋଡିଆ ବିଜେପିର ‘ୱାଶିଂ ମେସିନ’ ଉପରେ ବୋମା ପକାଇ ଦେଇଛନ୍ତି। ବିଜେପିରେ ଯୋଗ ଦିଅନ୍ତୁ ଏବଂ ଆପ ବିଧାୟକଙ୍କୁ ନିଜ ପଟକୁ ଆଣନ୍ତୁ ଏବଂ ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ଏସବୁ କଲେ ଆପଣଙ୍କ ବିରୋଧରେ ସିବିଆଇ ମାମଲା ବନ୍ଦ ହୋଇଯିବ’ ଏଭଳି ପ୍ରସ୍ତାବକୁ ସିସୋଡିଆଙ୍କୁ ବିଜେପି ଦେଇଥିଲା ବୋଲି ସାମନାରେ ଲେଖାଯାଇଛି | ଉଲ୍ଲେଖ ଥାଉ କି ଗତକାଲି ଆପ ପକ୍ଷରୁ କୁହାଯାଇଥିଲା ଯେ ୪୦ ଜଣ ଆପ୍‌ ବିଧାୟକ ବିଜେପି ଟାର୍ଗେଟ୍‌ରେ ଥି‌ଲେ। ବିଜେପି ପ୍ରତି ବିଧାୟକଙ୍କୁ ୨୦ କୋଟି ଟଙ୍କାର ଅଫର ଦେଇଥିଲା। ବିଜେପି ମୋଟ୍‌ ୮୦୦ କୋଟି ଟଙ୍କା ବିନିମୟରେ ୪୦ ଆପ୍‌ ବିଧାୟକଙ୍କୁ କିଣିବାକୁ ଯୋଜନା କରିଥିଲା। କିନ୍ତୁ ବିଜେପିର ଷଡ଼ଯନ୍ତ୍ର ବିଫଳ ହୋଇଛି ଏବଂ ସମସ୍ତ ବିଧାୟକ ଏକଜୁଟ ଅଛନ୍ତି ବୋଲି କେଜ୍ରିୱାଲ କହିଥିଲେ ।

Comments are closed.