ଶେଖ ଶାହଜାହାଁ ଗିରଫ

ଗିରଫ ହେଲେ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖ ଶାହଜାହାଁ। ୫୫ ଦିନର ଲୁଚକାଳି ଖେଳ ମଧ୍ୟରେ ଶେଷର ତୃଣ ମୂଳ କଂଗ୍ରେସର ଏହି ନେତାଙ୍କୁ ଗିରଫ କରିଛି ପୁଲିସ। ସନ୍ଦେଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଜାତନା ଏବଂ ସେମାନଙ୍କ ଜମି ହଡ଼ପ ମାମଲାରେ ଶାହଜାହାଁଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି।

ପୁଲିସ ସୂଚନା ଅନୁସାରେ, ଗତକାଲି ମଧ୍ୟରାତ୍ରିରେ ଉତ୍ତର ୨୪ ପରଗଣା ଜିଲ୍ଲାରୁ ତାଙ୍କୁ ଗିରଫ କରାଯାଇଛି। ବେଙ୍ଗଲର ଏକ ସ୍ପେଶାଲ ପୁଲିସ ଟିମ୍ ତାଙ୍କୁ ଗିରଫ କରିଛି। ୫୫ ଦିନ ଧରି ପୁଲିସ ସହ ଛକାପଞ୍ଝା ଖେଳ ଖେଳୁଥିଲେ ଶେଖ ଶାହଜାହଁ। ପୁଲିସ ତାଙ୍କ ଉପରେ କଡା ନଜର ରଖି ଶେଷରେ ଗିରଫ କରିଛି।

ନିକଟରେ ଶାହଜାହାଁଙ୍କ ଗିରଫଦାରୀକୁ ନେଇ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।ଫେବ୍ରୁଆରୀ ୨୬ରେ ସନ୍ଦେଶଖାଲି ମାମଲା ଉପରେ ବିଚାର କରି ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ ଥିଲେ କୋର୍ଟ। କୋର୍ଟ କହିଥିଲେ, ଦୀର୍ଘ ଚାରି ବର୍ଷ ହେବ ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ଏକାଧିକ ମାମଲା ଥାଇ ମଧ୍ୟ ପୁଲିସ କାହିଁକି ତାଙ୍କୁ ଗିରଫ କରୁନି। ତାଙ୍କର ଗିରଫଦାରୀକୁ ନେଇ ତ ସେମିତି କିଛି ରହିତାଦେଶ ନାହିଁ। ପୁଲିସ ତୁରନ୍ତ ତାଙ୍କୁ ଗିରଫ କରିବା ଉଚିତ୍ ବୋଲି ହାଇକୋର୍ଟ କହିଥିଲେ।

ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଗତ ତିନି ଦିନ ଧରି ଶେଖ ଶାହଜାହାଁଙ୍କ ଉପରେ ନଜର ରଖିଥିଲା ବେଙ୍ଗଲର ଏକ ସ୍ପେଶାଲ ପୁଲିସ ଟିମ୍। ଶେଷରେ ଗତକାଲି ମଧ୍ୟରାତ୍ରିରେ ତାଙ୍କୁ ଗିରଫ କରିଛି।

Comments are closed.