ପଞ୍ଚମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବେ ଶେଖ୍ ହସିନା

ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ମୁଖ୍ୟ ଶେଖ୍‌ ହସିନା ପୁଣିଥରେ କ୍ଷମତା ଦଖଲ କରିବାକୁ ଯାଉଛନ୍ତି। ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ ସହ ହସିନା ପଞ୍ଚମ ଥର ପାଇଁ ସରକାର ଗଠନ କରିବା ରାସ୍ତା ସଫା ହୋଇଯାଇଛି। ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି)ର ବହିଷ୍କାର ଭିତରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ରବିବାର ଗୋପାଳଗଞ୍ଜ-୩ ନିର୍ବାଚନ ମଣ୍ଡଳୀରୁ ହସିନା ପୁନର୍ବାର ସଂସଦକୁ ନିର୍ବାଚିତ ହୋଇଛନ୍ତି। ୭୬ ବର୍ଷୀୟା ହସିନା ୨,୪୯,୯୬୫ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବାଂଲାଦେଶ ସୁପ୍ରିମ୍ ପାର୍ଟିର ଏମ୍ ନିଜାମ ଉଦ୍ଦିନ ଲସ୍କର ମାତ୍ର ୪୬୯ ଖଣ୍ଡ ଭୋଟ୍ ପାଇଛନ୍ତି। ଗୋପାଳଗଞ୍ଜ ୧୯୮୬ ପରଠାରୁ ସେ ଅଷ୍ଟମ ଥର ପାଇଁ ଗୋପାଳଗଞ୍ଜ-୩ ଆସନରୁ ବିଜୟୀ ହୋଇଛନ୍ତି। ଦେଶର ଅଧିକାଂଶ ଆସନରେ ଶାସକ ଆୱାମୀ ଲିଗ୍ ପ୍ରାର୍ଥୀ ଆଗୁଆ ଅଛନ୍ତି। ଅନ୍ୟପକ୍ଷରେ ମୁଖ୍ୟ ବିରୋଧୀ ଦଳ ଚଳିତ ନିର୍ବାଚନ ପରିଣାମକୁ ପ୍ରତ୍ୟାଖ୍ୟାନ କରିବା ସହ ନିରପେକ୍ଷ ନିର୍ବାଚନ ପାଇଁ କୌଣସି ସୁଯୋଗ ନଥିଲା ବୋଲି କହିଛି। ବାଂଲାଦେଶ ନିର୍ବାଚନ କମିସନ ପ୍ରବକ୍ତା କହିଛନ୍ତି, ଆୱାମୀ ଲିଗ୍‌ ୫୦ ପ୍ରତିଶତ ଆସନରେ ବିଜୟୀ ହୋଇସାରିଛି।

Comments are closed.