ନିସ୍ ରେ ଆୟୋଜିତ ହେଲା ‘ବିକାଶରେ ଯୁବ ବର୍ଗର ଭୂମିକା’ ଆଲୋଚନା ଚକ୍ର
ସୁମାକର କେନ୍ଦ୍ର, ଆଡ୍ସ ଆଣ୍ଡ ଏଫ୍ଇଏସ୍ ଓ ନିସ୍ର ମିଳିତ ସହଯୋଗରେ ଆୟୋଜିତ ହୋଇଛି ‘ବିକାଶରେ ଯୁବ ବର୍ଗର ଭୂମିକା’ । ଏହି ଅବସରରେ ରାଜ୍ୟର ବହୁ ମନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ରାଜ୍ୟର ଯୁବବର୍ଗଙ୍କୁ ଏକ ନୂତନ ଦିଗ୍ଦର୍ଷନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ସମାଜରେ ଘଟିଥିବା ସବୁ ବିପ୍ଳବ, ପରିବର୍ତ୍ତନ ଓ ନୂଆ କଥା ଯୁବ ବନ୍ଧୁଙ୍କ ଉଦ୍ୟମରେ ହୋଇଛି। ତେଣୁ ପରମ୍ପରା ଭାରତୀୟ ସଂସ୍କୃତିରେ ଅଛି ତାକୁ ଅଗ୍ରାଧିକାର ଦେଇ ଯଦି ସମାଜିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାନ୍ତା ତାହାଲେ ଆମେ ସମସ୍ତେ ସମ୍ମାନର ସହ ବଞ୍ଚିବାର ରାସ୍ତା ସହଜରେ ପାଇବେ।
କାର୍ଯ୍ୟକ୍ରମରେ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ସୋସିଆଲିଜିମ୍ର ସେକ୍ରେଟେରି ଜେନେରାଲ ଡିକେ ଗିରି, ସୁମାକର ସୋସାଇଟି ଦିଲ୍ଲୀର ନିର୍ଦ୍ଦେଶିକା ସୁଶାନ ଚେରିଆନ୍, ଫେଡ୍ରିକ୍ ଏବର୍ଟ ଷ୍ଟିଫଙ୍ଗ୍ର କଣ୍ଟ୍ରି ନିର୍ଦ୍ଦେଶକ ଖ୍ରୀଷ୍ଟଫ ପି ମୋହର, ପ୍ରୋଗ୍ରାମ ମ୍ୟାନେଜର ଅନୁରାଗ ଶଙ୍କର, ପୂର୍ବତନ ପ୍ରଶାସକ କରୁଣାକର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ‘ବିକାଶରେ ଯୁବ ବର୍ଗର ଭୂମିକା’ ସମ୍ପର୍କରେ ମତ ରଖିଥିଲେ।
ଏହି ଅବସରରେ ୨ଟି ଅଧିବେଶନ ଆୟୋଜିତ ହୋଇଥିଲା ଯେଉଁଥିରେ ପ୍ରଥମ ଅଧିବେଶନରେ ପରିବେଶବିତ୍ ଦିଲ୍ଲିପ ଶ୍ରୀଚନ୍ଦନ, ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ପୂର୍ବତନ କୁଳପତି ସୁଧାକର ପଣ୍ଡା, ସେଣ୍ଟର ଫର୍ ପବ୍ଲିକ୍ ପଲିସି ଅଲ୍ଟରନେଟିଭର ନିର୍ଦ୍ଦେଶକ ସନ୍ଦୀପ ପଟ୍ଟନାୟକ ଏବଂ ଦ୍ବିତୀୟ ଅଧିବେଶନରେ ସୁଶାନ ଚେରିଆନ୍, ସମାଜସେବୀ ବିଶାଖା ଭଞ୍ଜ, ଟ୍ରାଇବାଲ୍ ଏକାଡେମିର ଭାନୁମତି ସିଂହ ଯୋଗଦେଇ ଚର୍ଚ୍ଚା କରିଥିଲେ। ସେହିପରି ଆୟୋଜିତି ଏକ ଗୋଷ୍ଠୀ ଚର୍ଚ୍ଚାରେ ବରିଷ୍ଠ ସାମ୍ବାଦିକ ନାଗେଶ୍ବର ପଟ୍ଟନାୟକ, ଏଫ୍ଇଏସ୍ର ପ୍ରୋଗ୍ରାମ ମ୍ୟାନେଜର ଅନୁରାଗ ଶଙ୍କର, ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ସୋସିଆଲିଜିମ୍ର ଜେନେରାଲ ଶ୍ରୀ ଗିରି ଭାଗ ନେଇଥିଲେ।
କାର୍ଯ୍ୟକ୍ରମକୁ ଦୁଷ୍ମନ୍ତ କୁମାର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ। ସିଇଓ ସ୍ମୃତି ସୁଧା ନାୟକଙ୍କ ସମେତ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ।
Comments are closed.