ଛୁ ମାରିଲା ବିଚାରାଧୀନ କଏଦୀ

କଟକ : ଏସ୍‌ସିବି ମେଡିକାଲ୍‌ କଲେଜ ହସପିଟାଲ୍‌ରୁ ପୁଣି ଜଣେ ବିଚାରାଧୀନ ବନ୍ଦୀ ଚମ୍ପଟ ମାରିଛି । ଫେରାର ବନ୍ଦୀ ହେଉଛି ଶୁକ୍ରା ମୁଣ୍ଡା । ସେ ଯାଜପୁର ରୋଡ୍‌ ଉପକାରାଗାରରୁ ଆସିଥିଲା । ହତ୍ୟା ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିଲା । ମଙ୍ଗଳାବାଗ ଥାନାରେ ଜେଲ୍‌ କର୍ମଚାରୀ ଏତଲା ଦେବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।
କାଳିଆପାଣି ଥାନା ଅଞ୍ଚଳର ଶୁକ୍ରା ମୁଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ରଗଡ଼ିସ୍ଥିତ ଯାଜପୁରରୋଡ୍‌ ଉପକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ୨ ବର୍ଷ ହେବ ରହୁଥିଲା । ସେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଜେଲ୍‌ରେ ଚିକିତ୍ସା ହେଉଥିଲା । ଗତ ଜୁନ୍‌ ୩୦ରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ଡାକ୍ତରଙ୍କ ପରାମର୍ଶରେ ତାକୁ ଏସ୍‌ସିବି ମେଡ଼ିକାଲ୍‌ ଅଣାଯାଇଥିଲା । ଶୁକ୍ରା ସହିତ ଉପକାରାଗାରର ୩ଜଣ ୱାର୍ଡର ଆସିଥିଲେ । ୩୦ ତାରିଖ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଶୁକ୍ରାକୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା । ପରଦିନ ଅର୍ଥାତ୍‌ ୧ ତାରିଖ ସକାଳ ୧୦ଟା ୪୫ ମିନିଟ୍‌ ବେଳକୁ ଶୁକ୍ରା ଫେରାର୍‌ ହୋଇଯାଇଥିଲା ।

ଦାୟିତ୍ୱରେ ଥିବା ଜେଲ୍‌ କର୍ମଚାରୀଙ୍କ କହିବାନୁସାରେ, ସେହି ସମୟରେ ସେ ଝାଡ଼ା ଯିବା ପାଇଁ କହିଲା । ତାକୁ ନେଇ ସେହି ୱାର୍ଡର ଏକ ପାଇଖାନାରେ ଛଡ଼ାଗଲା । ମାତ୍ର କିଛି ମିନିଟ୍‌ ପରେ ସେ ପାଇଖାନାରୁ ନବାହାରିବାରୁ କର୍ମଚାରୀଙ୍କର ସନ୍ଦେହ ହେଲା । ସେ ଖୋଜାଖୋଜି କଲା ବେଳକୁ ଶୁକ୍ରା କେଉଁଆଡ଼େ ପଳାଇଥିଲା ।

Comments are closed.