ବଢ଼ିଲା ସୌରିନ ଭଟ୍ଟଙ୍କ ଅଡ଼ୁଆ

କଟକ: ଯୁବତୀଙ୍କୁ ବଳାତ୍କାର ମାମଲାରେ ଫେରାର୍‌ ଥିବା କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ପାଇଁ ଅଡ଼ୁଆ ବଢ଼ିଛି । ପୂର୍ବରୁ ତାଙ୍କ ନାଁରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି ହୋଇଥିବା ବେଳେ ଏବେ ତାଙ୍କ ନାଁରେ ଏନ୍‌ବିଡବ୍ଲୁ ବା ଜାମିନବିହୀନ ପରୱାନା ଜାରି ହେବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ସୌରିନଙ୍କ ନାଁରେ କଟକର ଜଣେ ଯୁବତୀ ଗତ ଜୁନ୍‌ ୧୧ ତାରିଖରେ ବଳାତ୍କାର ଅଭିଯୋଗ ଆଣିଥିଲେ । ପୁଲିସ ଏନେଇ ମାମଲା ରୁଜୁ କରିବା ପରେ ଗତ ଅଗଷ୍ଟ ୭ରେ ସୌରିନ୍‌ ମହିଳା ଥାନାରେ ହାଜର ହୋଇଥିଲେ । ଏହା ପୂର୍ବରୁ ସେ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କର ଅନ୍ତରୀଣ ସୁରକ୍ଷା ପାଇଥିଲେ । ଅଗଷ୍ଟ ୩୦ ତାରିଖରେ ଏହି ମାମଲାର ଶୁଣାଣି କରି କୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିଲେ । ଏହା ପରେ ସୌରିନ ଆଉ ଥାନାକୁ ଆସି ହାଜର ହେଲେନି ।

ତେଣୁ ସେପ୍ଟେମ୍ବର ୭ରେ ପୁଲିସର ଏକ ଟିମ୍‌ ପୁଣି କୋଲକତା ଯାଇଥିଲା । ସେଠାରେ ସୌରିନ୍‌ଙ୍କ କୌଣସି ଖୋଜ୍‌ଖବର ମିଳିନଥିଲା । ପୁଲିସର ନୋଟିସ୍‌ ସତ୍ତେ୍ୱ ସେ ମହିଳା ଥାନାର ତଦନ୍ତକାରୀ ଅଧିକାରୀଙ୍କ ପାଖରେ ହାଜର ହୋଇନଥିଲେ । ତେଣୁ କଟକ ପୁଲିସ ପକ୍ଷରୁ ଏନେଇ କ୍ରାଇମବ୍ରାଞ୍ଚକୁ ଅବଗତ କରାଯାଇ ଗତ ସେପ୍ଟେମ୍ବର ୧୧ ତାରିଖରେ ଲୁକ୍‌ଆଉଟ୍‌ ସର୍କୁଲାର ନୋଟିସ୍‌ ଜାରି କରାଯାଇଥିଲା । ଅନ୍ୟପକ୍ଷରେ ମାମଲା ରୁଜୁ ହେବାକୁ ଏହା ମଧ୍ୟରେ ୩ ମାସରୁ ଅଧିକ ସମୟ ହେଲାଣି । ତେଣୁ ନିୟମ ଅନୁସାରେ ପୁଲିସ ପକ୍ଷରୁ ସୌରିନ୍‌ଙ୍କ ନାଁରେ ଜାମିନ ବିହୀନ ପରୱାନା ଜାରି କରିବାକୁ କୋର୍ଟଙ୍କ ନିକଟରେ ଆବେଦନ କରିବାକୁ ନିଷ୍ପତ୍ତି ହୋଇଛି । ଏନେଇ ମହିଳା ଥାନା ପକ୍ଷରୁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିବା ଡିସିପି ଶ୍ରୀ ମିଶ୍ର ସୋମବାର ସୂଚନା ଦେଇଛନ୍ତି ।

Comments are closed.