ଅଡୁଆରେ ସଞ୍ଜୟ ରାଓତ, ଆଜି ପୁଣି ଇଡି ସମନ
ମୁମ୍ବାଇ: ଶିବସେନା ସାଂସଦ ସଞ୍ଜୟ ରାଓ୍ବତଙ୍କୁ ପୁଣି ସମନ ଜାରିକରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ମାମଲାରେ ପ୍ରଥମେ ଇଡି ପକ୍ଷରୁ ନୋଟିସ ଜାରି କରାଯାଇଥିଲା । କିନ୍ତୁ ବେକ କଟିଗଲେ ବି ହାଜର ହେବେ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ ସଞ୍ଜୟ ରାଓ୍ବତ । ଏବେ ପୁଣି ଥରେ ଇଡି ପକ୍ଷରୁ ସଞ୍ଜୟଙ୍କୁ ନୋଟିସ୍ ଜାରି କରାଯାଇଛି । ଜୁଲାଇ ୧ ତାରିଖ ଦିନ ୧୧ଟା ବେଳେ ହାଜର ହେବାକୁ ଇଡି ପକ୍ଷରୁ କୁହାଯାଇଛି । ଏହା ସହିତ ମାମଲା ସହ ଜଡିତ ସମସ୍ତ ଦସ୍ତାବିଜ ମଧ୍ୟ ଆଣିବା ପାଇଁ ନୋଟିସରେ ଦର୍ଶାଯାଇଛି ।
ଏହା ପୂର୍ବରୁ ଗତ ସୋମବାର ଦିନ ମଧ୍ୟ ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଓ୍ବତଙ୍କୁ ହାଜର ହେବାକୁ ନୋଟିସ୍ ଜାରିକରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପାତ୍ର ଚୌଲ ଜମି ମାମଲାରେ ବ୍ୟାପକ ଅର୍ଥ ହେରଫେରକୁ ନେଇ ତାଙ୍କୁ ହାଜର ହେବାକୁ କୁହାଯାଇଥିଲା । ମଙ୍ଗଳବାର ହାଜର ହେବାକୁ କୁହାଯାଇଥିଲେ ସୁଦ୍ଧା ସେ ଯାଇନଥିଲେ ।
ସୋମବାର ନୋଟିସ ଜାରି ହେବାପରେ ସଞ୍ଜୟ ରାଓ୍ବତ କହିଥିଲେ ଯେ, ସେ ପଛକୁ ହଟିବେ ନାହିଁ । କୌଣସି ବଡ ଲଢେଇ ଚାଲୁଥିବା ବେଳେ ଆମକୁ ରୋକିବା ପାଇଁ ଏଭଳି ଷଡଯନ୍ତ୍ର ରଚାଯାଉଛି । ରାଓ୍ବତ କହିଛନ୍ତି, ‘ଆମେ ବାଲା ସାହେବ ଠାକରେଙ୍କ ଶିବ ସୈନିକ । ପ୍ରକୃତ ଶିବ ସୈନିକ ଦଳ ପ୍ରତି କେବେ ଗଦ୍ଦାରୀ କରିବେ ନାହିଁ । କିମ୍ବା ଗୌହାଟୀ ରାସ୍ତା ଦେଖିବେନି । ମୁଣ୍ଡ କାଟିଦେଲେ ବି ଇଡିରେ ହାଜର ହେବିନି । ସାହସ ଅଛି ତ ମୋତେ ଗିରଫ କର’।
Comments are closed.