ଛୁଟିରେ ଗଲେ ଅବକାରୀ ଇନ୍ସପେକ୍ଟର

ପୁରୀ : ଅବକାରୀ କମିଶନରଙ୍କୁ ପୁରୀ ଅବକାରୀ ଇନସ୍ପେକ୍ଟର ଚିଠି ଲେଖିବା ପ୍ରସଙ୍ଗ। ଛୁଟିରେ ଗଲେ ପୁରୀ ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା। ବ୍ୟକ୍ତିଗତ ଅସୁସ୍ଥତା ଦର୍ଶାଇ ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ନିକଟରେ କରିଛନ୍ତି ଛୁଟି ଆବେଦନ। ୯ରୁ ୧୫ ଯାଏଁ ଛୁଟିରେ ରହିବାକୁ ମାଗିଲେ ଅନୁମତି। ନିଶା ମାଫିଆଙ୍କଠାରୁ ପୁରୀ ପୋଲିସ ମାସିକିଆ ବଟି ନେଉଥିବା ଅଭିଯୋଗ କରି ଚିଠି ଲେଖିଥିଲେ ସଞ୍ଜୟ।

ପ୍ରକାଶ ଥାଉକି, ଜୁନ୍ ୪ ତାରିଖରେ ଅବକାରୀ କମିଶନରଙ୍କୁ ଅବକାରୀ ଇନ୍ସପେକ୍ଟର ଏକ ଚିଠି ଲେଖିଥିଲେ। ଏହି ଚିଠିରେ ଉଲ୍ଲେଖ ଥିଲା ଯେ, ପୁରୀ ଜିଲ୍ଲାରେ ଗତ ଏକ ବର୍ଷ ହେବ ଅବକାରୀ ଅଧିକାରୀମାନେ ନିଶା କାରବାରରେ ଲିପ୍ତ ଥିବା ଦୁର୍ବୃତ୍ତଙ୍କୁ ଗିରଫ କରୁଛନ୍ତି। ହେଲେ ସେମାନଙ୍କ ଠାରୁ ଥାନା ଅଧିକାରୀମାନେ ମାସିକିଆ ଲାଞ୍ଚ ନେଉଛନ୍ତି। ଯାହା ଫଳରେ ଦୁର୍ବୃତ୍ତମାନେ ଅବକାରୀ ଅଧିକାରୀମାନଙ୍କୁ ଖାତିର କରୁନାହାଁନ୍ତି। ଥାନା ଅଧିକାରୀଙ୍କ ଦ୍ଵାରା ଅଳ୍ପସଂଖ୍ୟକ ଅବକାରୀ ମାମଲା ଠାବ ହେଉଛି। ବିଭାଗର ଜଣେ ଦାୟିତ୍ଵବାନ୍ ଅଧିକାରୀ ହିସାବରେ ଅଳ୍ପ କର୍ମଚାରୀ, ଅଳ୍ପ ଦରମା, ବିନା ଗାଡ଼ି, ବିନା କ୍ଵାର୍ଟର୍ସ, ବିନା ମେଡାଲ୍‌ରେ ହତୋତ୍ସାହିତ ଅନୁଭବ କରୁଛି। ତେଣୁ ପୁଲିସ କର୍ମଚାରୀଙ୍କ ଏହି ପ୍ରକାର ଅସାଧୁ କାର୍ୟ୍ୟକଳାପକୁ ବନ୍ଦ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ଆମକୁ କଠିନ ପରିଶ୍ରମ, ସଚ୍ଚୋଟତା ପାଇଁ ପୁରସ୍କୃତ କରାଯିବା ଉଚିତ ବୋଲି ସେ ଚିଠିରେ ଦର୍ଶାଇଥିଲେ ।

ତେବେ ଅବକାରୀ ଇନ୍ସପେକ୍ଟର ନିଜେ ଛୁଟିରେ ଯାଇଛନ୍ତି ନା ଛୁଟି ପାଇଁ ତାଙ୍କ ଉପରେ ଚାପ ପଡ଼ିଛି ? ଲାଞ୍ଚ ନେବା ମାମଲାରେ କାଳେ ଉଭୟ ଅବକାରୀ ଓ ପୋଲିସ ବିଭାଗର ମୁଖା ଖୋଲିଯିବ ସେହି ଭୟରେ ସଞ୍ଜୀବ ପଣ୍ଡାଙ୍କୁ ଛୁଟିରେ ପଠାଇ ଏହି ଅଭିଯୋଗକୁ ଚପାଇ ଦେବାକୁ ହେଉନି ତ ଷଡ଼ଜନ୍ତ୍ର ? ଏହି ସବୁ ପ୍ରଶ୍ନ ଏବେ ସର୍ବସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed.