ଜାତିସଂଘରେ ସ୍ଥାୟୀ ସଦସ୍ୟ ହେବା ପାଇଁ ଭାରତକୁ ସମର୍ଥନ କଲା ଋଷ
ନୂଆଦିଲ୍ଲୀ: ବୈଶ୍ବିକ ଓ ଆଞ୍ଚଳିକ ସମସ୍ୟା ନିଜସ୍ବ ଆଭିମୁଖ୍ୟ ଉପସ୍ଥାପନ କରି ଭାରତ ପରିଷଦ୍କୁ ସମୃଦ୍ଧ କରିଛି ଦର୍ଶାଇ ଜାତିସଂଘ ସୁରକ୍ଷା ପରିଷଦ୍ରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଣି ଥରେ ରୁଷ୍ ସମର୍ଥନ କରିଛି।
ରୁଷ୍ର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ କହିଛନ୍ତି, ମୋର ମନେହୁଏ, ସମ୍ପ୍ରତି ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ। ସମ୍ଭବତଃ ଭାରତ ସବୁଠୁ ଅଗ୍ରଣୀ। ଅବିଳମ୍ବେ ଯେକୌଣସି ଦେଶ ଅପେକ୍ଷା ତା’ର ଜନସଂଖ୍ୟା ସବୁଠୁ ଅଧିକ ହୋଇଯିବ। ଭାରତର ଅନେକ ପ୍ରକାରର ସମସ୍ୟାର ସମାଧାନ କରିବାର କୂଟନୈତିକ ଅଭିଜ୍ଞତା ଥିବା ସହିତ ନିଜ ଅଞ୍ଚଳରେ କର୍ତ୍ତୃତ୍ବ ଏବଂ ଖ୍ୟାତି ରହିଛି।
ଡିସେମ୍ବର ୭ ତାରିଖ ଦିନ ମସ୍କୋସ୍ଥିତ ‘ପ୍ରିମାକୋଭ୍ ରିଡିଙ୍ଗ୍ସ୍ ଇଣ୍ଟର୍ନ୍ୟାସ୍ନାଲ୍ ଫୋରମ୍’ରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଲାଭ୍ରୋଭ୍ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ‘ସାଙ୍ଘାଇ କୋଅପରେସନ୍ ଅର୍ଗାନାଇଜେସନ୍’ ମଧ୍ୟରେ ଦକ୍ଷିଣ ଏସିଆରେ ଥିବା ‘ଇଣ୍ଟିଗ୍ରେସନ୍ ଷ୍ଟ୍ରକ୍ଚର୍’ରେ ଭାରତ ହେଉଛି ଗୋଟାଏ ଅଂଶ। ଜାତିସଂଘରେ ବି ଭାରତ ସକ୍ରିୟ ଭୂମିକା ଗ୍ରହଣ କରିଛି। ‘ମଲ୍ଟି ପୋଲାର୍ ୱାର୍ଲଡ୍’ ଗଠନ କରିବାରେ ଭାରତ କର୍ଣ୍ଣଧାର ଏବଂ ଏକ ପ୍ରମୁଖ ଦେଶ ମଧ୍ୟ।
ଆଗରୁ ସେପ୍ଟେମ୍ବର ମାସରେ ଜାତିସଂଘ ସୁରକ୍ଷା ପରିଷଦ୍ର ୭୭ତମ ବୈଠକରେ ଉଦ୍ବୋଧନ ଦେବା ବେଳେ ଲାଭାରୋଭ୍ କହିଥିଲେ ଯେ, ଆଫ୍ରିକା, ଏସିଆ ଏବଂ ଲାଟିନ୍ ଆମେରିକୀୟ ରାଷ୍ଟ୍ରମାନଙ୍କୁ ଅନ୍ତର୍ଭୁକ୍ତ କରାଗଲେ ନିରାପତ୍ତା ପରିଷଦ୍ ଆହୁରି ଗଣତାନ୍ତ୍ରିକ ହେବ।
Comments are closed.