ଦୁଇ ପତ୍ନୀଙ୍କ ପାଇଁ ସ୍ବାମୀ ହେଲେ ବିଧାୟକ

ବଡୋଦରା: କୌଣସି ବ୍ୟକ୍ତିଙ୍କ ସଫଳତା ଜଣେ ନାରୀର କାର୍ଯ୍ୟକଳାପ ଉପରେ ନିର୍ଭରଶୀଳ ବୋଲି ପୁରାକାଳରୁ ଇଂରାଜୀରେ ପ୍ରବାଦଟିଏ ଅଛି। କିନ୍ତୁ, ଅଳ୍ପ ଦିନ ପୂର୍ବେ ଦକ୍ଷିଣ ଗୁଜରାଟର ଆଦିବାସୀ କ୍ଷେତ୍ର ଡେଡ଼ିୟାପାଡ଼ା ନିର୍ବାଚନ ମଣ୍ଡଳୀରୁ ବିଜୟ ହାସଲ କରିଥିବା ଏକମାତ୍ର ‘ଆପ୍‌’ ବିଧାୟକ ଚୈତର୍‌ ବସାବାଙ୍କ ସଫଳତା ଦୁଇଜଣ ନାରୀଙ୍କ କାର୍ଯ୍ୟ ଓ ସମର୍ଥନ ଯୋଗୁଁ ସମ୍ଭବ ହୋଇଛି।

ସେ ଦୁଇ ନାରୀ ହେ‌ଉଛନ୍ତି ତାଙ୍କର ଦୁଇ ପତ୍ନୀ। ସେମାନେ କେବଳ ଗୋଟିଏ ପରିବାର ଭାବେ ଏକତ୍ର ବାସ କରନ୍ତି ନାହିଁ, ଗ‌ୋଟାଏ ଟିମ୍‌ ଭାବେ କାର୍ଯ୍ୟ କରନ୍ତି। ଡେଡ଼ିୟାପାଡ଼ା ଜନଜାତି ଆସନରୁ ରେକର୍ଡସଂଖ୍ୟକ ୪୦,୦୦୦ରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଥିବା ବସାବା କହିଛନ୍ତି, ମୋର ପତ୍ନୀମାନେ ଗୋଟାଏ ଟିମ୍‌ ଭଳି କାମ କରି ମୋ ବିଜୟରେ ଅପରିସୀମ ସାହାଯ୍ୟ କରିଛନ୍ତି। ମୁଁ ପ୍ରଚାର ଅଭିଯାନରେ ଥିବା ବେଳେ ସେମାନେ ଅକ୍ଳାନ୍ତ ପରିଶ୍ରମ କରି ଅନେକ କିଛି ସମ୍ଭାଳିଛନ୍ତି।

ନିଜ ଅଞ୍ଚଳରେ ଏକଦା ‘ଭାରତୀୟ ଟ୍ରାଇବାଲ୍‌ ପାର୍ଟି’ର ଜନପ୍ରିୟ ନେତା ଥିବା ବସାବା ଦଳ ପରିତ୍ୟାଗ କରି ‘ଆପ୍‌’ ଟିକେଟ୍‌ରେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ତାଙ୍କ ପ୍ରତିଦ୍ବିନ୍ଦ୍ବୀ ‘ବିଜେପି’ ଓ କଂଗ୍ରେସ ପାର୍ଟି ପ୍ରାର୍ଥୀଙ୍କ ଭଳି ତାଙ୍କ ପାଇଁ କୌଣସି ‘ଷ୍ଟାର୍’ ପ୍ରଚାରକ ନ ଥିଲେ। ଏକ ଦଶନ୍ଧିରୁ ଅଧିକ କାଳ ହେବ ସେ ଆଦିବାସୀ ସମ୍ପ୍ରଦାୟ ପାଇଁ କାମ କରି ୨୦୧୪ରେ ‘ଭାରତୀୟ ଟ୍ରାଇବାଲ୍‌ ପାର୍ଟି’ରେ ଯୋଗ ଦେଇଥିଲେ। ଡେଡ଼ିୟାପାଡ଼ାରେ ‘ଭାରତୀୟ ଟ୍ରାଇବାଲ୍‌ ପାର୍ଟି’ର ମୁଖ୍ୟ ଛୋଟୁ ବାସାବାଙ୍କ ପୁଅ ମହେଶଙ୍କୁ ଜିଣାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Comments are closed.