ଶପଥ ନେଲେ ରେବନ୍ତ

ଆଜିଠୁ ତେଲେଙ୍ଗାନାରେ ଆରମ୍ଭ ହେଲା ରେବନ୍ଥ ରାଜ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ଥ ରେଡ୍ଡୀ। ହାଇଦ୍ରାବାଦର ଏଲ୍‌ ବି ଷ୍ଟାଡିୟମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଶପଥ ନେଇଛନ୍ତି। ତେଲେଙ୍ଗାନା ରାଜ୍ୟପାଳ ଟି ସୌନ୍ଦରରାଜନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ସେହିପରି ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ ଭାବେ ଭଟ୍ଟି ବିକ୍ରମାର୍କା ମଧ୍ୟ ଶପଥ ନେଇଛନ୍ତି। ରେବନ୍ଥ ରେଡ୍ଡୀଙ୍କ ସହ ୧୧ ଜଣ ମନ୍ତ୍ରୀଙ୍କୁ ରାଜ୍ୟପାଳ ଶପଥ ପାଠ କରାଇଛନ୍ତି। ଏହି ଶପଥ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ସାମିଲ ହୋଇଛନ୍ତି।

ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା, ଉପ-ମୁଖ୍ୟମନ୍ତ୍ରୀ ଡି ଶିବକୁମାର ଏବଂ ବହୁ କଂଗ୍ରେସ ନେତା ଉପସ୍ଥିତ ଅଛନ୍ତି। ୨୦୧୩ରେ ତେଲେଙ୍ଗାନା ଗଠନ ପରେ କଂଗ୍ରେସ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଛି। ଏହାପୂର୍ବରୁ ବିଆରଏସ ତେଲେଙ୍ଗାନାରେ ସରକାର ଗଢିଥିଲା। କିନ୍ତୁ ଚଳିତ ନିର୍ବାଚନରେ ରେବନ୍ଥଙ୍କ ନେତୃତ୍ୱରେ ତେଲେଙ୍ଗାନାରେ ସରକାର ଗଢିଛି କଂଗ୍ରେସ ଦଳ।

୫୪ ବର୍ଷୀୟ ରେବନ୍ଥ ରେଡ୍ଡୀ ଯୁବାବସ୍ଥାରୁ ରାଜନୀତିରେ ଅଛନ୍ତି। ଛାତ୍ର ଥିବା ବେଳେ ସେ ଏବିଭିପି ସହିତ ଜଡ଼ିତ ଥିଲେ। 2006ରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ି ଜିତିଥିଲେ। ୨୦୦୭ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ। ପରେ ସେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି)ରେ ଯୋଗ ଦେଇଥିଲେ।

Comments are closed.