ଅଳିଆ ପକାଇପାରିବେନି ରାଜଧାନୀବାସୀ
ଭୁବନେଶ୍ୱର : ଏଣିକି ମନଇଚ୍ଛା ଯେ କୌଣସି ସ୍ଥାନରେ ଅଳିଆ ପକାଇ ପାରିବେ ନାହିଁ ରାଜଧାନୀବାସୀ। ଏଥିସହିତ ନିଜ ଘର ବା ଦୋକାନ ଆଖପାଖ ୫ମିଟର ପରିମିତ ଅଞ୍ଚଳକୁ ନିଜେ ସଫା ରଖିବାକୁ ପଡିବ। ନଚେତ୍ ସେମାନଙ୍କୁ ଜରିମାନା ଗଣିବାକୁ ପଡିବ ବୋଲି ଶନିବାର ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି।
ଏଥିସହ ସ୍ବଚ୍ଛ ରହିବାକୁ ଜନସାଧାରଣଙ୍କୁ କିଛିଟା ସହଜ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ଆଖପାଖ ସଫା ସୁତରା ରଖିବା, ଅଳିଆ ଆବର୍ଜନା ଗଦା ନ କରିବା ଏବଂ ଡଷ୍ଟବିନ୍ ବ୍ୟବହାର କରିବା ସହିତ ଓଦା ଓ ଶୁଖିଲା ଅଳିଆକୁ ସଫେଇ ଗାଡ଼ିକୁ ପ୍ରଦାନ କରିବାକୁ କୁହାଯାଇଛି।
ଏହି ନିୟମକୁ ପାଳନ ନ କଲେ ଘରୋଇ ଭାବେ ୫ଶହ ଟଙ୍କା ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ବା ଦୋକାନୀଙ୍କଠାରୁ ୫ହଜାର ଟଙ୍କା ଜରିମାନା ଆଦାୟ କରିବ ବିଏମ୍ସି। ପୂର୍ବରୁ କେବଳ ବ୍ୟବସାୟୀଙ୍କୁ ୫ମିଟର ପର୍ଯ୍ୟନ୍ତ ଅଞ୍ଚଳ ସଫା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏବେ ଗୃହକର୍ତ୍ତାଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଶନିବାର ମେୟର ସୁଲୋଚନା ଦାସ କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ରାସ୍ତାକଡ଼ ଦୋକାନକୁ ପରିଦର୍ଶନ କରି ସ୍ବଚ୍ଛତା ଅବଲମ୍ବନ କରିବାକୁ କହିଥିଲେ। ଏଥିସହିତ ଡଷ୍ଟବିନ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜଧାନୀ ଭୁବନେଶ୍ୱର ସ୍ମାର୍ଟସିଟିର ମାନ୍ୟତା ପାଇଥିଲେ ବି ଅନେକ ସମୟରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ପାଇଁ ସମାଲୋଚନାର ଶିକାର ହେଉଛି।
ତେଣୁ ଭୁବନେଶ୍ୱରକୁ ଏକ ସ୍ବଚ୍ଛ ସହର ଭାବେ ପରିଗଣିତ କରିବା ପାଇଁ ବିଏମ୍ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମାତ୍ର ଅଧିକାଂଶ ଲୋକ ବା ବ୍ୟବସାୟୀ ଏହାକୁ ଗ୍ରହଣ କରୁନାହାନ୍ତି। ପ୍ରତିଦିନ ବିଏମ୍ସିର ସ୍ବତନ୍ତ୍ର ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ବୁଲି ବ୍ୟବସାୟୀମାନଙ୍କୁ ସଚେତନ କରୁଛନ୍ତି। ସେହିପରି ଆବଶ୍ୟକ ପଡିଲେ ସମ୍ପୃକ୍ତ ଦୋକାନକୁ ସିଲ୍ ମଧ୍ୟ କରାଯାଉଛି। ଏହାସତ୍ତ୍ୱେ ବହୁ ବ୍ୟବସାୟୀ ନିୟମକୁ ଅଣଦେଖା କରୁଛନ୍ତି। ତେଣୁ ବିଏମ୍ସି ଜରିମାନା ଲାଗୁ ଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।
ଅପରପକ୍ଷେ ‘ମୋ ଭୁବନେଶ୍ୱର, ସ୍ବଚ୍ଛ ଭୁବନେଶ୍ୱର’ କ୍ୟାମ୍ପେନ ଅନ୍ତର୍ଗତ ଏକ ଭିଡିଓ ପ୍ରସ୍ତୁତ କରାଯାଇ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରୟାସ କରୁଛି ବିଏମ୍ସି।
Comments are closed.