ଏଣିକି ସ୍କୁଲରେ ପଢା ଯିବ ରାମାୟଣ ଓ ମହାଭାରତ

ନୂଆଦିଲ୍ଲୀ : ସ୍କୁଲ୍‌ ସାମାଜିକ ବିଜ୍ଞାନ ପାଠ୍ୟକ୍ରମରେ ସଂଶୋଧନ ପାଇଁ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଗଠନ କରିଥିବା ଉଚ୍ଚସ୍ତରୀୟ କମିଟି ରାମାୟଣ ଏବଂ ମହାଭାରତକୁ ପାଠ୍ୟପୁସ୍ତକରେ ସାମିଲ କରିବାକୁ ସୁପାରିସ କରିଛି। ଏଥିସହିତ ଶ୍ରେଣୀଗୃହ କାନ୍ଥରେ ସମ୍ବିଧାନର ପ୍ରସ୍ତାବନାକୁ ଲିପିବଦ୍ଧ କରିବା ପାଇଁ ମଧ୍ୟ ସୁପାରିସ କରାଯାଇଥିବା କମିଟି ଅଧ୍ୟକ୍ଷ ସି.ଆଇ. ଆଇଜାକ୍‌ ମଙ୍ଗଳବାର କହିଛନ୍ତି। ଗତବର୍ଷ ଗଢ଼ାଯାଇଥିବା ୭ ଜଣିଆ କମିଟି ସାମାଜିକ ବିଜ୍ଞାନ ଚୂଡ଼ାନ୍ତ ପେପର ପାଇଁ ଅନେକ ସୁପାରିସ କରିଥିବା ଜଣାପଡ଼ିଛି। ଉକ୍ତ ସୁପାରିସଗୁଡ଼ିକୁ ୧୯ ଜଣିଆ ନ୍ୟାଶନାଲ ସିଲାବସ୍‌ ଆଣ୍ଡ ଟ୍ରେନିଂ ଲର୍ନିଂ ମ୍ୟାଟେରିଆଲ କମିଟି (ଏନ୍‌ଏସ୍‌ଟିସି) ବିଚାରକୁ ନେଇପାରନ୍ତି। ଉକ୍ତ କମିଟି ସ୍କୁଲ୍‌ ପିଲାଙ୍କ ପାଇଁ ପାଠ୍ୟକ୍ରମ, ପାଠ୍ୟପୁସ୍ତକ ଏବଂ ଶିକ୍ଷଣ ସାମଗ୍ରୀ ଚୂଡ଼ାନ୍ତ କରିବା ପାଇଁ ଜୁଲାଇରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ସପ୍ତମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ରାମାୟଣ ଓ ମହାଭାରତ ଶିକ୍ଷାଦେବା ଉଲ୍ଲେଖନୀୟ ଘଟଣା ବୋଲି ଆଇଜାକ୍‌ କହିଛନ୍ତି। ପିଲାମାନେ ଛୋଟ ବୟସରେ ସେମାନଙ୍କ ଆତ୍ମସମ୍ମାନ ସାଙ୍ଗକୁ ରାଷ୍ଟ୍ର ପାଇଁ ଦେଶଭକ୍ତି, ଗୌରବ ଆଣିବା ଶିଖିପାରିବେ। ଦେଶଭକ୍ତି ଅଭାବରୁ ପ୍ରତିବର୍ଷ ହଜାର ହଜାର ଛାତ୍ରୀଛାତ୍ର ଦେଶ ଛାଡ଼ି ଅନ୍ୟ ଦେଶକୁ ଚାଲିଯାଉଛନ୍ତି। ସେଥିପାଇଁ ସେମାନେ ନିଜର ମୌଳିକତ୍ୱକୁ ଜାଣିବା ଓ ନିଜ ଦେଶ ତଥା ସଂସ୍କୃତି ପାଇଁ ସେମାନଙ୍କ ମଧ୍ୟରେ ଭଲପାଇବା ବିକଶିତ କରିବାକୁ ହେବ ବୋଲି ଆଇଜାକ୍‌ କହିଛନ୍ତି।

Comments are closed.