ରମଣ ସିଂ ହେବେ ଛତିଶଗଡ ବିଧାନସଭାର ବାଚସ୍ପତି

ରେଜଲ୍ଟ ବାହାରିବାର ପ୍ରାୟ ସପ୍ତାହ ଧରି କସରତ କରିବା ପରେ ବିଜେପି ଶେଷରେ ବିଷ୍ଣୁଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ଆଦିବାସୀ ନେତା ବିଷ୍ଣୁଦେଓ ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ନେତା ନିର୍ବାଚିତ ହେବା ପରେ ସେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କରି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ଖୁବଶୀଘ୍ର ସେ ଛତିଶଗଡ଼ର ୪ର୍ଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକ ବିଜେପି ନେତା ରହିଥିବାରୁ ଏବେ ଦଳ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ ଆରମ୍ଭ କରିଛି। ଛତିଶଗଡ଼ରେ ୨ ଜଣ ଉପ ମୁଖ୍ୟମନ୍ତ୍ରୀ ଭାବେ କାମ କରିବେ। ସେହିପରି ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠାରୁ ଆଗରେ ଥିବା ବରିଷ୍ଠ ନେତା ରମଣ ସିଂହ ରାଜ୍ୟ ବିଧାନସଭାର ବାଚସ୍ପତି ଭୂମିକାରେ ରହିପାରନ୍ତି।

ସେ ୨୦୦୩ରୁ ୨୦୧୮ ଯାଏ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିଲେ। ୨୦୧୮ରେ ବିଜେପି ହାରିବା ସହ ରମଣ ସିଂହଙ୍କ ମୁଖ୍ୟମନ୍ତ୍ରୀ ପଦ ଯାଇଥିଲା। ୨୦୨୩ରେ ବିଜେପି ପୁଣି କ୍ଷମତା ଦଖଲ କରିଥିବାରୁ ରମଣ ସିଂହ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଉଥିଲା।

କିନ୍ତୁ ବିଜେପି ହାଇକମାଣ୍ଡ ଆଦିବାସୀ କାର୍ଡ ଖେଳି ବିଷ୍ଣୁଦେଓଙ୍କୁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ରମଣ ସିଂହଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କୁ ବିଧାନସଭାର ବାଚସ୍ପତି କରାଯିବ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଛତିଶଡ଼ଗରେ ବିଷ୍ଣୁଦେଓଙ୍କ ଡେପୁଟି ଭାବେ ଦୁଇ ଜଣ କାମ କରିବେ। ବିଜେପି ନେତା ଅରୁଣ ସାଓ ଓ ବିଜୟ ଶର୍ମା ଛତିଶଡ଼ଗରେ ଉପ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି।
ଛତିଶଗଡ଼ ବିଧାନସଭାରେ ୯୦ଟି ଆସନ ଥିବା ବେଳେ ବିଜେପି ୫୪ଟିରେ ବିଜୟୀ ହୋଇଥିଲା। କଂଗ୍ରେସକୁ ୩୫ଟି ଆସନ ମିଳିଥିବା ବେଳେ ଜିଜିପିକୁ ଗୋଟିଏ ଆସନ ମିଳିଛି।

Comments are closed.