ରାଜ୍ୟସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ : ଆଇନରେ ପରିଣତ ହେବା ଦିଗରେ ଆଉ ପାଦେ ଆଗେଇଛି ମହିଳା ସଂରକ୍ଷଣ ବିଲ୍। ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଛି ନାରୀ ଶକ୍ତି ବନ୍ଦନ ଅଧିନିୟମ। ଦୀର୍ଘ ୧୧ ଘଣ୍ଟାର ବିତର୍କ ପରେ ସର୍ବସମ୍ମତିକ୍ରମେ ଏହି ବିଲ୍‌ ପାରିତ ହୋଇଥିଲେ ହେଁ ବିରୋଧୀ ଏହାର ପ୍ରାବଧାନ ଉପରେ ଅନେକ ପ୍ରଶ୍ନ କରିଥିଲେ।

ଏଥିସହ ବିଲ୍‌ରେ ଥିବା ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରିବା ଓ ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଯୁକ୍ତି ବାଢ଼ିଥିଲେ। ତଥାପି ସରକାର ବିଲ୍‌ରେ କୌଣସି ପ୍ରକାରର ସଂଶୋଧନ କରି ନାହାନ୍ତି। ଲୋକସଭା ଭଳି ରାଜ୍ୟସଭାରେ ମଧ୍ୟ ସର୍ବସମ୍ମତିକ୍ରମେ ଏହା ପାସ ହୋଇଛି। ବିଲ୍ ସପକ୍ଷରେ ୨୧୪ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ଶୂନ ରହିଛି।

ବୁଧବାର ଲୋକସଭାରେ ଏହି ବିଲ୍‌କୁ ଉପସ୍ଥାପନ କରାଯାଇଥିଲା। ପ୍ରାୟ ୮ ଘଣ୍ଟାର ବିତର୍କ ପରେ ବିଲ୍‌ ପାସ୍‌ ହୋଇଥିଲା। ବିଲ୍‌ ସପକ୍ଷରେ ୪୫୪ ଖଣ୍ଡ ଭୋଟ ପଡ଼ିଥିବା ବେଳେ କେବଳ ୨ ଜଣ ଏହାକୁ ବିରୋଧ କରିଥିଲେ। ଲୋକସଭାରେ ପାରିତ ହୋଇଥିବାରୁ ଆଜି ରାଜ୍ୟସଭାରେ ଏହାକୁ ଆଗତ କରାଯାଇଥିଲା।

ରାଜ୍ୟସଭାରେ ବିରୋଧୀ ଦଳଗୁଡ଼ିକ ବିଲ୍‌ରେ ଓବିସି ସଂପ୍ରଦାୟ ଓ ସଂଖ୍ୟାଲଘୁ ସଂପ୍ରଦାୟର ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଏହା ଉପରେ ପ୍ରଶ୍ନ ଉଠାଇଥିଲେ। ବିଲ୍‌ରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷିତ ହୋଇ ରହିବ ବୋଲି କୁହାଯାଇଛି।

Comments are closed.