ନିର୍ବାଚନ ପ୍ରଚାର ଆରମ୍ଭ କଲେ ବର୍ଷା

ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିବା ପରେ ସେ ବଡ଼ଚଣା ଗସ୍ତ କରିଛନ୍ତି। ତାଙ୍କ ସହିତ ଯାଜପୁର ଏମ୍‌ପି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ମଧ୍ୟ ପ୍ରଥମ କରି ଗସ୍ତ କରିଛନ୍ତି। ବଡ଼ଚଣା ବିଜେଡି ପକ୍ଷରୁ ଯାଜପୁର ଜିଲାର ପ୍ରବେଶଦ୍ୱାର ଛତିଆ ନିକଟ ନେଳିଆଛକଠାରୁ ଉଭୟ ପ୍ରାର୍ଥୀଙ୍କୁ ସ୍ବାଗତସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ସେଠାରୁ ଏକ ବିଶାଳ ବାଇକ୍‌ ରାଲିରେ କର୍ମୀମାନେ ଉଭୟଙ୍କୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଦଳୀୟ କର୍ମୀ ପାଛୋଟି ନେଇଥିଲେ। ପୂର୍ବରୁ ଏଠାରେ ୩ ଗୋଷ୍ଠୀ ମଧ୍ୟରେ ଯେଉଁ ବିବାଦ ରହିଥିଲା ଏହାକୁ ପ୍ରଶମିତ କରାଯାଇଛି। ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବର୍ଷାଙ୍କୁ ବିଜୟୀ କରିବା ପାଇଁ ଯେଉଁ ନିବେଦନ ରଖିଥିଲେ ତାହାକୁ ପାଳନ କରି ସମସ୍ତେ ଏକତ୍ରିତ ହୋଇଥିଲେ। ଏପରି କି ଛତିଆ, ବଡ଼ଚଣା, କଡ଼େଇ, ବନ୍ଦାଳୋ ଓ ଚଣ୍ଡିଖୋଲଠାରେ ବହୁ କର୍ମୀ ଉପସ୍ଥିତ ରହି ସେମାନଙ୍କୁ ସ୍ବାଗତ କରିଥିଲେ। ଶୋଭାଯାତ୍ରାରେ ଅଧିକାଂଶ ପୁରୁଷ ରହିଥିବାବେଳେ ବିଭିନ୍ନ ସ୍ଥାନରେ ମହିଳାମାନେ ରହି ସ୍ବାଗତସମ୍ବର୍ଦ୍ଧନା ଜଣାଇଥିଲେ।

 

ଏହି ଅବସରରେ ବର୍ଷା କହିଥିଲେ, ବଡ଼ଚଣାବାସୀ ତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ଯେଉଁଭଳି ଭାବେ ସ୍ବାଗତ ଜଣାଇଛନ୍ତି ଏହାକୁ କେବେ ଭୁଲିପାରିବେନାହିଁ। ନିର୍ବାଚନମଣ୍ଡଳୀର ସମସ୍ତ ଭୋଟରଙ୍କୁ ସାକ୍ଷାତ କରିବା ସହ ନବୀନ ପଟ୍ଟନାୟକ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବେ। ବଡ଼ଚଣାବାସୀଙ୍କ ସେବାରେ ସାରା ଜୀବନ ଲଗାଇଦେବେ ବୋଲି କହି ସେ ଭାବବିହ୍ବଳ ହୋଇଥିଲେ। ସାଂସଦ ପ୍ରାର୍ଥୀ ସେଠୀ ବଡ଼ଚଣାବାସୀଙ୍କୁ କୃତଜ୍ଞତା ଜଣାଇବା ସହ ୨୦୧୯ରୁ ୨୦୨୪ରେ ଆହୁରି ଅଧିକ ଭୋଟ ଦେଇ ଜିତାଇବା ସହ ନବୀନ ପଟ୍ଟନାୟକ ହାତମୁଠାକୁ ଟାଣ କରିବାକୁ କହିଥିଲେ।

 

ଏହି ସ୍ବାଗତସମ୍ବର୍ଦ୍ଧନା ପର୍ବରେ ଅମର ପ୍ରସାଦ ଶତପଥୀଙ୍କ ସମର୍ଥକ, ଜନ୍ମେଜୟ ଲେଙ୍କାଙ୍କ ସମର୍ଥକ ଓ ରାଜନାରାୟଣଙ୍କ ସମର୍ଥକ ମିଳିତଭାବେ କାର୍ଯ୍ୟକ୍ରମ କରିଥିବା ଦେଖିବାକୁ ମିଳିଥିଲା। ଶୋଭାଯାତ୍ରାରେ ଜନ୍ମେଜୟ ଲେଙ୍କା, ରାଜନାରାୟଣ ମହାପାତ୍ର, ଜିଲାପରିଷଦ ଉପସଭାପତି ଗଣେଶ୍ୱର ବରାଳ, ଜିଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଅଶୋକ ପଣ୍ଡା, ବ୍ଲକ ସଭାପତି ଅରବିନ୍ଦ ସାମଲ, ସାଧାରଣ ସମ୍ପାଦକ ବିପିନ ବିହାରୀ ଜେନା, ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି, ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ନନ୍ଦ, କୈଳାସ ଚନ୍ଦ୍ର ରାଉତ ଓ ପୂର୍ବତନ ଉପାଧ୍ୟକ୍ଷ ପଞ୍ଚାନନ ଧଳ ପ୍ରମୁଖ ବହୁ ନେତୃତ୍ୱ ଓ ପଞ୍ଚାୟତ ପ୍ରତିନିଧି ଏଥିରେ ସାମିଲ ହୋଇଥିଲେ। ସେମାନେ ବର୍ଷାଙ୍କୁ ବିପୁଳ ଭୋଟ ବ୍ୟବଧାନରେ ବିଜୟ କରାଇବେ ବୋଲି ପ୍ରକାଶ କରିଥିଲେ। ବାଇକ୍‌ ରାଲି ପୂର୍ବରୁ ଉଭୟ ପ୍ରାର୍ଥୀ ଛତିଆ ବଟ ଓ ମହାବିନାୟକ ମନ୍ଦିର ପରିଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ସମ୍ବର୍ଦ୍ଧନା ସଭାରେ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅନୁପସ୍ଥିତି କିଛିମାତ୍ରାରେ କର୍ମୀଙ୍କୁ ନିରୁତ୍ସାହିତ କରିଥିବା ଦେଖାଦେଇଥିଲା। ବଡ଼ଚଣା, ବୈରୀ ଓ ବାଲିଚନ୍ଦ୍ରପୁର ପୋଲିସ ପକ୍ଷରୁ ଏହି ଶୋଭାଯାତ୍ରା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

Comments are closed.