କେଜ୍ରିୱାଲଙ୍କ ପରିବାରକୁ ଭେଟିବେ ରାହୁଲ

ଅବକାରୀ ଦୁର୍ନୀତି ମାମଲାରେ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ବାନ୍ଧିଥିବା ବେଳେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। କେଜ୍ରିୱାଲ ଙ୍କ ଗିରଫଦାରୀକୁ ଆପ୍‌ ନେତାଙ୍କ ସହିତ କଂଗ୍ରେସ, ତୃଣମୂଳ କଂଗ୍ରେସ ତଥା ଆହୁରି ବହୁ ଦଳର ନେତା ତୀବ୍ର ସମାଲୋଚନା କରିଛନ୍ତି।

କେଜ୍ରିୱାଲଙ୍କୁ ସମର୍ଥନ ଜଣାଇବା ନିମନ୍ତେ ଆଜି ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଏନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ଆଇନଗତ ସହାୟତା ପ୍ରଦାନ କରିବାକୁ ରାହୁଲ ଗାନ୍ଧୀ ଆଜି କେଜ୍ରିୱାଲ କିମ୍ବା ତାଙ୍କ ପରିବାରଙ୍କୁ ଭେଟିବାକୁ ଚେଷ୍ଟା କରିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ଗତକାଲି କେଜ୍ରିୱାଲ ଙ୍କୁ ଇଡି ଗିରଫ କରିବା ପରେ ଏହାକୁ ବିରୋଧ କରି କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଟ୍ୱିଟ କରିଥିଲେ। କେଜ୍ରିୱାଲ ଙ୍କୁ ସମର୍ଥନ କରି ରାହୁଲ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିକୁ ଟାର୍ଗେଟ କରିବାକୁ ପଛାଇ ନ ଥିଲେ। ରାହୁଲ ନିଜ X ହ୍ୟାଣ୍ଡେଲ୍‌ରେ ଟ୍ୱିଟ କରିଥିଲେ, , “ଡରି ଯାଇଥିବା ତାନାଶହ, ଗୋଟିଏ ମରି ଯାଇଥିବା ଗଣତନ୍ତ୍ରକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ମିଡିଆ ସମେତ ସଂସ୍ଥା ଉପରେ କବଜା, ଦଳଗୁଡ଼ିକୁ ଭାଙ୍ଗିବା, କମ୍ପାନୀଗୁଡ଼ିକଠାରୁ ବଟି ଆଦାୟ କରିବା, ମୁଖ୍ୟ ବିରୋଧୀ ଦଳର ଆକାଉଣ୍ଟକୁ ଫ୍ରିଜ କରିବା ବି ଅସୁର ଶକ୍ତି ପାଇଁ ବୋଧେ କମ ବଡ଼ିଲା। ଏଥିପାଇଁ ଏବେ ନିର୍ବାଚିତ ମୁଖ୍ୟମନ୍ତ୍ରୀମାନଙ୍କୁ ଗିରଫ କରିବା ସାଧାରଣ କଥା ହୋଇଗଲାଣି। ଇଣ୍ଡିଆ ଏହାର ମୁହଁତୋଡ଼ ଜବାବ ଦେବ।’

ସେହିପରି ନିଜ ଟ୍ୱିଟରେ ପ୍ରିୟଙ୍କା ଲେଖିଛନ୍ତି, ଆଗକୁ ନିର୍ବାଚନ ଥିବା ବେଳେ ତା’ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏଭଳି ଭାବେ ଟାର୍ଗେଟ କରିବା ପୂରା ଭୁଲ୍ ଓ ଅସାମ୍ବିଧାନିକ। ରାଜନୀତିର ସ୍ତର ଏତେ ତଳକୁ ଖସିବା ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାରଙ୍କୁ ଶୋଭା ଦେଉନି।

Comments are closed.