ଦେଶର ନାଁ ବଦଳାଇବା ପ୍ରସଙ୍ଗରେ ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ : ଦେଶର ନାଁ ଇଣ୍ଡିଆ ଏବଂ ଭାରତ ପରିବର୍ତ୍ତେ କେବଳ ଭାରତ ରଖିବାକୁ କେନ୍ଦ୍ର ସରକାର ଉଦ୍ୟମ ଚଳାଇଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଥିପାଇଁ ଭାଜପାକୁ ଟାର୍ଗେଟ କରିଛନ୍ତି। ଯେଉଁମାନେ ଭାରତର ଆତ୍ମା ଉପରେ ଆକ୍ରମଣ କରୁଛନ୍ତି, ସେମାନଙ୍କୁ ଯଥେଷ୍ଟ ମୂଲ୍ୟ ଦେବାକୁ ହେବ ବୋଲି ରାହୁଲ କହିଛନ୍ତି।

ଯେଉଁମାନେ ଦେଶର ନାଁ ବଦଳାଇବାକୁ ଉଦ୍ୟମ କରୁଛନ୍ତି, ସେମାନେ ମୂଳତଃ ଇତିହାସକୁ ଅସ୍ବୀକାର କରିବାକୁ ଚାହୁଁଛନ୍ତି। ଆମକୁ ସେହି ଲୋକମାନଙ୍କ ଦୃଷ୍ଟାନ୍ତ ଦେବାକୁ ହେବ, ଯେଉଁମାନେ ସେମାନଙ୍କ ଏଭଳି କାର୍ଯ୍ୟ ପାଇଁ ଯଥେଷ୍ଟ ମୂଲ୍ୟ ଦେଇଛନ୍ତି। ତାହେଲେ ଯେଉଁମାନେ ଭାରତର ଆତ୍ମା ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରୁଛନ୍ତି, ସେମାନେ ଏହାର ପରିଣାମ ବୁଝିପାରିବେ ବୋଲି ରାହୁଲ ଫ୍ରାନ୍ସର ପ୍ୟାରିସ୍‌ଠାରେ ସାଇନ୍ସେସ୍‌ ପିଓ ୟୁନିଭର୍ସିଟିରେ ଉଦ୍‌ବୋଧନ ଦେଲାବେଳେ କହିଛନ୍ତି।

କଂଗ୍ରେସ ନେତା କହିଛନ୍ତି, ଦେଶକୁ ଭାରତ କିମ୍ବା ଇଣ୍ଡିଆ ନାମରେ କହିବାରେ କିଛି ଅସୁବିଧା ନାହିଁ। ତେବେ ନାଁ ପରିବର୍ତ୍ତନ କରି କେବଳ ଭାରତ କରିବା ପଛରେ ସେମାନଙ୍କର ମନ୍ଦ ଉଦ୍ଦେଶ୍ୟ ରହିଛି। ବିରୋଧୀ ମେଣ୍ଟର ନାଁ ଇଣ୍ଡିଆ ବ୍ଲକ୍‌ ରଖାଯାଇଥିବାରୁ କେନ୍ଦ୍ର ସରକାର ଦେଶର ନାଁକୁ କେବଳ ଭାରତ ରଖିବାକୁ ବ୍ୟଗ୍ର ହୋଇପଡ଼ିଛନ୍ତି ବୋଲି ରାହୁଲ ଅଭିଯୋଗ କରିଥିଲେ।

ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଭାରତରେ ସଂଖ୍ୟାଲଘୁମାନଙ୍କ ସ୍ବର ଚାପିଦେଇଥିବା ରାହୁଲ ଅଭିଯୋଗ କରିଛନ୍ତି। ତେବେ ଦେଶରେ ଏହା ହେବାକୁ ସେ ଦେବେ ନାହିଁ ବୋଲି କଂଗ୍ରେସ ନେତା କହିଛନ୍ତି।

Comments are closed.