ପୁଣି ବିବାଦରେ ରାହୁଲ

ଲକ୍ଷ୍ନୌ: ଗତବର୍ଷ ଭାରତ ଯୋଡ଼ୋ ଯାତ୍ରା ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବିନାୟକ ଦାମୋଦର ସବରକରଙ୍କ ବିରୋଧରେ ଦେଇଥିବା ଅପମାନସୂଚକ ମନ୍ତବ୍ୟ ପାଇଁ ଲକ୍ଷ୍ନୌର ସେସନ୍ସ କୋର୍ଟ ତାଙ୍କୁ ନୋଟିସ ଜାରି କରିଛନ୍ତି। ଲକ୍ଷ୍ନୌର ଜିଲ୍ଲା ଏବଂ ସେସନ୍ସ ଜଜ୍‌ ଅଶ୍ବିନୀ କୁମାର ତ୍ରିପାଠୀ ଏହି ନୋଟିସ କରିଛନ୍ତି। ସିଆରପିସିର ଧାରା ୨୦୩ରେ ରାହୁଲଙ୍କ ବିରୋଧରେ ଆଇନଜୀବୀ ନୃପେନ୍ଦ୍ର ପାଣ୍ଡେ କରିଥିବା ଆବେଦନ ଉପରେ ଏସିଜେଏମ୍ (ଆଡିସନାଲ ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ) ଅମ୍ବରୀଶ କୁମାର ଶ୍ରୀବାସ୍ତବ ଗତ ଜୁନରେ ଦେଇଥିବା ରାୟକୁ ଚାଲେଞ୍ଜ କରି ସେ ସେସନ୍ସ କୋର୍ଟକୁ ଯାଇଥିଲେ। ସେହି ଆବେଦନ ଉପରେ ଏହି ନୋଟିସ ଜାରି ହୋଇଛି।

ଏଥିସହିତ କୋର୍ଟ ଉକ୍ତ ମାମଲାକୁ ଆଡିସନାଲ ସେସନ୍ସ ଜଜ୍‌/ଏମ୍‌ପି-ଏମଏଲଏ କୋର୍ଟକୁ ସ୍ଥାନାନ୍ତର କରିଛନ୍ତି। ଆସନ୍ତା ନଭେମ୍ବର ୧ରେ ଉକ୍ତ ମାମଲାର ଶୁଣାଣ ହେବ। ଆଇନଜୀବୀ ପାଣ୍ଡେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ରାହୁଲ ଗାନ୍ଧି ସମାଜରେ ଘୃଣାର ପ୍ରସାର ପାଇଁ ଜାତୀୟତାବାଦୀ ବିନାୟକ ଦାମୋଦର ସବରକରଙ୍କୁ ବ୍ରିଟିସମାନଙ୍କ ଚାକର କହିଥିଲେ। ଏଥିସହିତ ସେ ବ୍ରିଟିସଙ୍କ ଠାରୁ ପେନସନ ନେଉଥିବା ମଧ୍ୟ କହିଥିଲେ। ଅଭିଯୋଗକାରୀ ଏହାକୁ ଘୋର ବିରୋଧ କରିଥିଲେ।

Comments are closed.