କେନ୍ଦ୍ର ମନ୍ତ୍ରୀଙ୍କ ଟାର୍ଗେଟରେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ :ସଂସଦରେ ଆଜି ବି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଲାଗି ରହିଛି ଝଡ଼ । ଆଜି ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବଶେନରେ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀ ସାମିଲ ହେଉଛନ୍ତି। ବିଜେପି ଲଗାତର ରାହୁଲ ଗାନ୍ଧୀଙ୍କ କ୍ଷମା ଦାବି କରୁଛନ୍ତି। ଏଭଳି ସ୍ଥିତିରେ ସଂସଦରେ ରହୁଲଙ୍କ ଉପସ୍ଥିତିକୁ ନେଇ ବିଜେପି ଆହୁରି ଆକ୍ରମଣାତ୍ମକ ହୋଇପାରେ। ଏଭଳି କିଛି ହିଣ୍ଟ ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ।

ଗୁରୁବାର ବିଧାନସଭା ପରିସରରେ ଆଇନ ମନ୍ତ୍ରୀ କିରଣ ରିଜିଜୁ ଆଜି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ଲଣ୍ଡନ ମାଟିରେ ଦେଶ ବିରୋଧରେ ଯାହା କହିଛନ୍ତି ସେଥିପାଇଁ ତାଙ୍କୁ କ୍ଷମା ପ୍ରାର୍ଥନା କରିବା ଦରକାର। ବିଦେଶ ମାଟିରେ ଗଣତନ୍ତ୍ର, ଦେଶର ନ୍ୟାୟ ବ୍ୟବସ୍ଥାକୁ ଅପମାନିତ କରିବା ସହ ଦେଶର ଅସମ୍ମାନ କରିଛନ୍ତି। ତେଣୁ ଦେଶର ଅପମାନ କରୁଥିବା ଏଭଳି ବ୍ୟକ୍ତିଙ୍କ ବିରୋଧରେ ଆମେ ଚୁପ୍ ରହିବୁନି। ଯେଉଁମାନେ ଦେଶ ବିରୁଦ୍ଧରେ କହୁଛନ୍ତି ସେମାନଙ୍କ ବିରୋଧରେ ଆମେ ସ୍ୱର ଉତ୍ତୋଳନ କରିବା ଉଚିତ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ସଂସଦରେ ଯାହା ଚାଲିଛି ତାକୁ ନେଇ ପୂରା ଦେଶ ଚିନ୍ତିତ। ଦେଶକୁ ବଦ୍‌ନାମ କରିବା ଓ ଗାଳି ଦେବା କାହାର ଅଧିକାର ନାହିଁ। ରାହୁଲ ଗାନ୍ଧୀଙ୍କ ଯୋଗୁ କଂଗ୍ରେସ ବୁଡିବାକୁ ବସିଲାଣି। ଆମକୁ ଏଥିରେ କୌଣସି ରୁଚି ନାହିଁ। ଯଦି ଦେଶକୁ ବୁଡାଇବା ପାଇଁ ସେ କହିବେ ତେବେ ଆମେ ଚୁପ୍ ବସିବୁ ନାହିଁ। ଦିନ ରାତି ସବୁଠୁ ଅଧିକ ସେ ସରକାରଙ୍କୁ ଗାଳି ଦେଉଛନ୍ତି, ଆଉ କହୁଛନ୍ତି ତାଙ୍କୁ କୁଆଡେ କହିବାକୁ ଦିଆଯାଉ ନାହିଁ। ସଂସଦର ସଦସ୍ୟ ହିଁ ସଂସଦର ଗାରିମାକୁ ତଳେ ପକାଉଛି। ପ୍ରଧାନମନ୍ତ୍ରୀଙ୍କୁ ବଦ୍‌ନାମ କରିବାକୁ ଚେଷ୍ଟା କରାଯାଇଛି, ଏହାକୁ ଆମେ ବରଦାସ୍ତ କରିବକୁ ନାହିଁ।

Comments are closed.