ଯୁବବର୍ଗଙ୍କ ଭବିଷ୍ୟତ ନଷ୍ଟ କରୁଛନ୍ତି ସରକାର : ରାହୁଲ
ନୂଆଦିଲ୍ଲୀ : ରେଲଓ୍ବେର ୯୧ ହଜାରରୁ ଅଧିକ ପଦବୀକୁ ଉଚ୍ଛେଦ କରାଯିବା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ରାହୁଲ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସରକାର ଯୁବବର୍ଗଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି। ଯୁବବର୍ଗଙ୍କ ଭବିଷ୍ୟତ ନଷ୍ଟ କରିବା ଦ୍ୱାରା ଭଲ ଫଳାଫଳ ମିଳିବ ନାହିଁ।
ରାହୁଲ ଗାନ୍ଧୀ ଶନିବାର ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ନରେନ୍ଦ୍ର ମୋଦି ସରକାର ନୂତନ ଚାକିରି ଦେବାରେ ସକ୍ଷମ ନୁହଁନ୍ତି କିନ୍ତୁ ଅବଶିଷ୍ଟ ଚାକିରି ଛଡ଼ାଇ ନେବାରେ ନିଶ୍ଚିତ ଭାବେ ସକ୍ଷମ। ଯୁବବର୍ଗମାନେ ଏହାର ଜବାବ ଦେବେ। ଯୁବବର୍ଗ ସରକାରଙ୍କ କ୍ଷମତା ଶକ୍ତିର ଗର୍ବକୁ ଭାଙ୍ଗିବେ। ସେମାନଙ୍କର ଭବିଷ୍ୟତକୁ ନଷ୍ଟ କରିବା ଯୋଗୁ ସରକାରଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ।
ଭାରତୀୟ ରେଲଓ୍ବେ ପକ୍ଷରୁ କୁହାଯାଇଛି ଯେ ଅଣ-ସୁରକ୍ଷା ବର୍ଗର ୯୧, ୬୨୯ ପଦବୀକୁ ରଦ୍ଦ କରିଦିଆଯାଇଛି। ସେମାନେ ଆଉ ନିଯୁକ୍ତି ପାଇବେ ନାହିଁ। ସରକାର ସେମାନଙ୍କୁ ଅନାବଶ୍ୟକ ବୋଲି କହିଛନ୍ତି। ଏହି ପରିପ୍ରେକ୍ଷୀରେ, ସମସ୍ତ ୧୭ ଟି ଜୋନାଲ ରେଳ ଅଣ-ସୁରକ୍ଷା ବର୍ଗର ୫୦ ପ୍ରତିଶତ ପଦବୀକୁ ରଦ୍ଦ କରିବାକୁ ରେଳବାଇ ବୋର୍ଡ ନିର୍ଦ୍ଦେଶ ଦେଇଛି। ଏଥିରେ ରେଳ ବାଣିଜ୍ୟ, ଇଞ୍ଜିନିୟରିଂ, ଆରପିଏଫ, ମେଡିକାଲ ବିଭାଗ, ପ୍ରଶାସନିକ ବିଭାଗ, ଆକାଉଣ୍ଟସ, ଷ୍ଟୋରସ, ବୋର୍ଡର ଅଧିକାରୀମାନେ ରହିଛନ୍ତି। ଏହା ବ୍ୟତୀତ କାରଖାନା, ଫ୍ୟାକ୍ଟ୍ରି, କର୍ମଶାଳା ଇତ୍ୟାଦିର ଶ୍ରମିକମାନଙ୍କର ଚାକିରି ଯିବାର ଆଶଙ୍କା ରହିଛି। ଏ ନେଇ ରାହୁଲ ଗାନ୍ଧୀ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି।
Comments are closed.