ଅର୍ଦ୍ଧଶୋଷିଣୀଙ୍କ ଜଳାଭିଷେକ

ପରାଶକ୍ତି ଦେବୀ ଗୌରୀ ଅଷ୍ଟରୂପ ଧାରଣ କରି ଅଷ୍ଟଦିଗରେ ଅବସ୍ଥାନ କରିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍ତର୍ବେଦୀକୁ ସୁରକ୍ଷା ପ୍ରଦାନ କରିଥାନ୍ତି। ଏହି ଅଷ୍ଟଦେବୀଙ୍କ ମଧ୍ୟରେ ରହିଛନ୍ତି ଦେବୀ ଅର୍ଦ୍ଧଶୋଷିଣୀ। ସର୍ବତତ୍ତ୍ୱମୟ ଶ୍ରୀଜଗନ୍ନାଥ ଅଜନ୍ମା। ତାଙ୍କର ପିତା, ମାତା, ଜନ୍ମ ଆଦି କିଛି ନଥାଇ ମଧ୍ୟ, ଅସଂଖ୍ୟ ସାଂସାରିକ ବନ୍ଧନରେ ସେ ଆବଦ୍ଧ। ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟରେ, ବଳଗଣ୍ଡଠାରେ ଏକ କ୍ଷୁଦ୍ର ମନ୍ଦିର ମଧ୍ୟରେ ବିରାଜିତା ଅଛନ୍ତି ଦେବୀ ଅର୍ଦ୍ଧଶୋଷିଣୀ ବା ଅର୍ଦ୍ଧାଶିନୀ। ଲୋକକଥିତ ଭାବରେ ସେ ମହାପ୍ରଭୁଙ୍କର ମାଉସୀ।

ରଥଯାତ୍ରା ବେଳେ ଏହି ମାଉସୀଙ୍କ ହାତର ପୋଡ଼ପିଠା ସେବନ କରି ପ୍ରଭୁ ହୃଷ୍ଟଚିତ୍ତରେ ଶ୍ରୀମନ୍ଦିରକୁ ବାହୁଡ଼ି ଥାଆନ୍ତି। କଥିତ ଅଛି, ପ୍ରଳୟ କାଳରେ ରୋହିଣୀ କୁଣ୍ଡରୁ ପ୍ରଳୟ ଜଳ ନିଃସୃତ ହୋଇ, ପ୍ରଳୟ ଘଟାଇ ସାରି ପୁଣି ସେହି କୁଣ୍ଡରେ ବିଲୀନ ହୁଏ। କିନ୍ତୁ ଏକଦା ଏହି ଜଳ ବିଲୀନ ନହେବାରୁ, ସ୍ୱୟଂ ଯୋଗମାୟା ନିଜକୁ ରୂପାନ୍ତରିତ କରି ସେହି ପ୍ରଳୟ ଜଳର ଅର୍ଦ୍ଧେକ ପାନ କରି ଶ୍ରୀକ୍ଷେତ୍ରକୁ ରକ୍ଷା କରିଥିଲେ। ସେବେଠାରୁ ଶ୍ରୀକ୍ଷେତ୍ରର ସୁରକ୍ଷା ନିମିତ୍ତ ସେ ବିରାଜମାନା।

Comments are closed.