ଅମ୍ରିତପାଲଙ୍କ ପଳାତକ ଘୋଷଣା କଲା ପଞ୍ଜାବ ପୋଲିସ

0

ନୂଆଦିଲ୍ଲୀ :ଖସିଗଲା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ। ପଞ୍ଜାବ ପୁଲିସକୁ ଚକ୍‌ମା ଦେଇ ହେଲା ଫେରାର। ତାକୁ ଧରିବା ପାଇଁ ପୁଲିସ ନାକେଦମ୍ ହୋଇଛି। ଫେରାର ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହକୁ ପଳାତକ ଘୋଷଣା କରାଯାଇଛି। ସରକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି।

ଗତକାଲି ଅମ୍ରିତପାଲ ସିଂହକୁ ପଞ୍ଜାବ ପୁଲିସ ଗିରଫ କରିଥିବା ନେଇ ସୂଚନା ମିଳିଥିଲା। ତେବେ ସେ ସନ୍ଧ୍ୟାରେ ପୁଲିସ ହେପାଜତରୁ ଫେରାର ହୋଇଯାଇଛି। ଏକ ମୋଟର ସାଇକେଲରେ ବସି ଦ୍ରୁତ ଗତିରେ ସେ ଖସି ପଳାଇଛି। ତାକୁ ଧରିବା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି । ପୁଲିସ ଭିନ୍ନ ଭିନ୍ନ ସ୍ଥାନରେ ରେଡ୍ କରୁଛି। ପୂରା ରାଜ୍ୟରେ ଅମ୍ରିତପାଲକୁ ଧରିବା ପାଇଁ ତଲାସି ଅଭିଯାନ ଜାରି ରହିଛି।

ସେପଟେ ଗତକାଲି ଅମ୍ରିତପାଲଙ୍କୁ ଗିରଫ କରିବାକୁ ବ୍ୟାପକ ପୁଲିସ ଫୋର୍ସ ନେଇ ଚଢାଉ କରିଥିଲା ପୁଲିସ। ଅମ୍ରିତପାଲଙ୍କ ୭୮ ଜଣ ସମର୍ଥକଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ପୁଲିସ। ଜେରା କରିବା ଲାଗି ଆଉ କିଛି ସଦସ୍ୟଙ୍କୁ ପୁଲିସ ଅଟକ ରଖିଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ପଞ୍ଜାବରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଜି ମଧ୍ୟାହ୍ଣ ୧୨ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଅମୃତସର ଅନ୍ତର୍ଗତ ଅମ୍ରିତପାଲ୍‌ଙ୍କ ଗାଁ ଜାଲ୍ଲୁପୁର ଖୈରାସ୍ଥିତ ବାସଭବନ ବାହାରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସେପଟେ, କେନ୍ଦ୍ରୀୟ ଗୁଇନ୍ଦା ‌ଏଜେନ୍ସିମାନେ ମଧ୍ୟ କହିଛନ୍ତି, ‘ୱାରିସ୍ ପଞ୍ଜାବ ଦେ’ ସଙ୍ଗଠନର ନେତା ଅମ୍ରିତପାଲ୍ ସିଂହ ଜଣେ ‘ଆଇଏସ୍‌ଆଇ’ ଏଜେଣ୍ଟ୍‌। ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଆନ୍ଦୋଳନରେ ହିଂସାକାଣ୍ଡ ଘଟାଇବା ପାଇଁ ପାକ୍ତିସ୍ତାନୀ ଗୁପ୍ତଚର ଏଜେନ୍ସି ତାଙ୍କୁ ଭାରତକୁ ଆଣିଛି।

Leave A Reply

Your email address will not be published.