ପ୍ରଧାନମନ୍ତ୍ରୀ କରିବେ ନୂଆ ସଂସଦ ଭବନ ଉଦଘାଟନ,, ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସଂସଦର ନୂଆ ବିଲଡିଂକୁ କିଏ ଉଦଘାଟନ କରିବ ତାକୁ ନେଇ ପଲଟିକାଲ ହାଇ ଭୋଲଟେଜ ଡ୍ରାମା ଚାଲିଥିବା ବେଳେ ଏଥିରେ ଦଖଲ ଦେବାକୁ ସଫା ସଫା ମନା କରି ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ଏହା ନ୍ୟାୟାଳୟରେ ଶୁଣାଣି ବିଷୟ ନୁହେଁ ବୋଲି ବିଚାରପତି କହିବା ସହ ଜନସ୍ୱାର୍ଥ ମାମଲା ଦାଏର କରିଥିବା ଆଇନଜୀବୀଙ୍କ ଉପରେ ବର୍ଷିବାକୁ ପଛାଇ ନାହାନ୍ତି। ଏହି ମାମଲାର ଶୁଣାଣି ଉପରେ ସମଗ୍ର ଦେଶବାସୀଙ୍କ ନଜର ଥିବା ବେଳେ ଆଜି ଜଷ୍ଟିସ ଜେଜେ ମହେଶ୍ୱରୀ ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଆସନ୍ତା ରବିବାର ପ୍ରଧାନମନ୍ତ୍ରୀ ସଂସଦ ଭବନର ଉଦ୍‌ଘାଟନ କରିବେ ବୋଲି ସ୍ପଷ୍ଟ ହୋଇ ଯାଇଛି।

ସୁପ୍ରିମକୋର୍ଟ ଆଇନଜୀବୀ ସିଆର ଜୟା ସୁକିନ ଏହି ମାମଲାର ଶୁଣାଣି ନିମନ୍ତେ ଏକ ପିଆଇଏଲ ଦାଖଲ କରିଥିଲେ ।ନୂଆ ସଂସଦ ଭବନ   ଉଦଘାଟନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ସାମିଲ ନ କରି କେନ୍ଦ୍ର ସରକାର ଭାରତର ସମ୍ବିଧାନରେ ଥିବା ନିୟମକୁ ଉଲ୍ଲଙ୍ଘନ କରିଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ତେଣୁ ରାଷ୍ଟ୍ରପତି ସଂସଦର ନୂଆ ବିଲଡିଂ ଉଦଘାଟନ କରିବା ନିମନ୍ତେ ସୁପ୍ରିମକୋର୍ଟ ଲୋକସଭା ସଚିବାଳୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରି ସେ ପିଆଇଏଲ ଦାଖଲ କରିଥିଲେ ।

ଏଥିସହ ସେ କହିଥିଲେ, ସଂସଦରେ ପାସ୍‌ ହେଉଥିବା ସବୁ ବିଧେୟକ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ହିଁ ଆଇନରେ ପରିଣତ ହୋଇଥାଏ। ତେଣୁ ସଂସଦର ନୂଆ ଭବନ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍‌ଘାଟନ ହେବା ଉଚିତ ।

Comments are closed.