ଆଜି ୭୧ ହଜାର ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :ଆଜି ରୋଜଗାର ମେଳା ମାଧ୍ୟମରେ ଅନେକ ଶିକ୍ଷିତ ଯୁବକ ଉପକୃତ ହେବେ । ରୋଜଗାର ମେଳା କାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପ୍ରାୟ ୭୧ ହଜାର ନିଯୁକ୍ତିପତ୍ର ବିତରଣ କରିବେ । ଏଥିସହ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କଥାହେବେ ବୋଲି ସୋମବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ।

ରୋଜଗାର ମେଳା ମାଧ୍ୟମରେ ଅନେକ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ମିଳିବ ଏବଂ ଦେଶର ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା କରାଯାଉଛି । ଗତ ଅକ୍ଟୋବରରେ ରୋଜଗାର ମେଳା ଅଧୀନରେ ୭୫ ହଜାରରୁ ଊଦ୍ଧ୍ୱର୍ଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା । ଗୁଜରାଟ ଏବଂ ହିମାଚଳ ପ୍ରଦେଶକୁ ଛାଡ଼ି ଦେଶର ପ୍ରାୟ ୪୫ ସ୍ଥାନରେ ନୂଆ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ହସ୍ତାନ୍ତର କରାଯିବ ବୋଲି ବିବୃତିରେ କୁହାଯାଇଛି । ଏଥିସହ ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ କର୍ମଯୋଗୀ ପ୍ରାରମ୍ଭ ମଡ୍ୟୁଲ୍‌ର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି । ଏହି ମଡ୍ୟୁଲ ହେଉଛି ବିଭିନ୍ନ ସରକାରୀ ବିଭାଗରେ ନୂଆ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ପାଇଁ ଏକ ଅନ୍‌ଲାଇନ କୋର୍ସ । ଏଥିରେ ସରକାରୀ କର୍ମଚାରୀଙ୍କୁ ଆଚରଣ ସଂହିତା, କର୍ମକ୍ଷେତ୍ରରେ ନୈତିକତା, ମାନବ ସମ୍ବଳ ନୀତି ଆଦି ସାମିଲ ହେବ ।

Comments are closed.