ଏହି ଦିନରେ ନିଅନ୍ତୁ ଗର୍ଭବତୀ ମହିଳାଙ୍କ ଯତ୍ନ

କିଛିଦିନ ହେବ ଲାଗିରହୁଛି ପ୍ରବଳ ବର୍ଷା, ଯାହାକି ସଭିଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ବିଶେଷକରି ରୋଗ ପ୍ରତିରୋଧକ ଶକ୍ତି କମ୍‌ଥିବାରୁ ଏହା ଅଧିକ ପ୍ରଭାବିତ କରୁଛି ଭାବୀ ମା’ମାନଙ୍କୁ। ତେଣୁ ଏ ସମୟରେ ଗର୍ଭବତୀ ନାରୀମାନଙ୍କୁ ଉଭୟ ନିଜ ସହ ଗର୍ଭସ୍ଥ ଶିଶୁ ପାଇଁ ବିଶେଷ ଭାବରେ ସତର୍କ ରହିବା ଆବଶ୍ୟକ…

ଖାଦ୍ୟ ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ: ବର୍ଷା ସମୟରେ ଗର୍ଭବତୀ ନାରୀମାନଙ୍କ ଦେହର ରୋଗ ପ୍ରତିରୋଧକ ଶକ୍ତି କମିଯାଉଥିବାରୁ ଝାଡ଼ା, ବାନ୍ତି, ଜଣ୍ଡିସ୍‌, ଜ୍ୱର ଆଦି ଅନେକ ଖାଦ୍ୟଜନିତ ସଂକ୍ରମଣ ରୋଗ ହୋଇଥାଏ। ତେଣୁ ନିଜ ସହ ଗର୍ଭସ୍ଥ ଶିଶୁର ଶରୀରକୁ ଶକ୍ତି ଯୋଗାଇ ଦେବା ଭଳି ସୁଷମ ତଥା ବେଶି ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ। ଏହାଛଡ଼ା ବେଶି ତେଲ ମସଲାଯୁକ୍ତ, ବାସିଖାଦ୍ୟ ଆଦି ନ ଖାଇ ସଦ୍ୟ ପ୍ରସ୍ତୁତ ଗରମ ଖାଦ୍ୟ ଖାଇବା ସହ ଗରମ ସୁପ୍‌ ପିଇବା ଭଲ। ବଜାରରେ ମିଳୁଥିବା ଖାଦ୍ୟ ବି ଏ ସମୟରେ ହାନିକାରକ। କାରଣ ଏଥିରେ ବ୍ୟବହୃତ ହେଉଥିବା ସମସ୍ତ ଜିନିଷରେ ପ୍ରଚୁର ପରିମାଣରେ ତେଲ ଓ ମସଲା ସହ ସଂକ୍ରମିତ ପାଣି ବ୍ୟବହାର ହେଉଥିବାରୁ ସଂକ୍ରମଣଜନିତ ରୋଗ ହେବାର ଆଶଙ୍କା ବେଶି ଥାଏ ା

ବେଳେବେଳେ କଟା ହୋଇଥିବା ଫଳ ବହୁତ ସମୟ ବାହାରେ ରହିବା ଦ୍ୱାରା ବି ସଂକ୍ରମଣ ହୋଇଥାଏ। ତେଣୁ ବାହାରେ ରହିଥିବା କଟାଫଳ ଖାଇବା ଅନୁଚିତ। କାକୁଡ଼ି, ଟମାଟୋ ଓ ପିଆଜ ଆଦି ଗରମ ପାଣିରେ ଧୋଇ ସାଲାଡ ପ୍ରସ୍ତୁତ କରିବା ଦରକାର ା ବିଶେଷ ଭାବରେ ଶାଗଜାତୀୟ ଖାଦ୍ୟ ଯଥା- ପାଳଙ୍ଗଶାଗ, ବିଭିନ୍ନ ପ୍ରକାର ଶାଗ, ବନ୍ଧାକୋବି, ଫୁଲକୋବି ଆଦି ପରିବା ପତ୍ରରେ ଛୋଟ ଛୋଟ ପୋକ ଓ ଜୀବାଣୁ ଥିବାରୁ ଏହାକୁ ରାନ୍ଧିବା ପୂର୍ବରୁ ଗରମ ପାଣିରେ ୩-୪ ଥର ଭଲଭାବେ ଧୋଇବା ଆବଶ୍ୟକ। ଏହି ସମୟରେ ମଟନ ଓ ଚିକେନ୍‌ ମଧ୍ୟ ବେଶି ପରିମାଣରେ ଖାଇବା ଠିକ୍‌ ନୁହେଁ- ଏହା ହଜମ ନ ହୋଇ ଅଜୀର୍ଣ୍ଣ ରୋଗ, ଝାଡା ଓ ବାନ୍ତିର କାରଣ ସାଜିଥାଏ।

ପିଅନ୍ତୁ ପର୍ଯ୍ୟାପ୍ତ ପାଣି: ବର୍ଷା ଅଧିକ ହେଲେ ଅନେକେ ଜଳବାୟୁ ଆର୍ଦ୍ର ଥିବାରୁ ପାଣି ପିଇବାରେ ଅବହେଳା କରି ବସନ୍ତି। ହେଲେ ମନେରଖନ୍ତୁ ଏ ସମୟରେ ପରିବେଶର ଉଷ୍ଣତା କମିଯିବାରୁ ବେଶି ପାଣି ପିଇବା ଓ ପାନୀୟ ଜିନିଷ ବ୍ୟବହାର କରିବା ଆବଶ୍ୟକ। ଏ ସମୟରେ କମ୍‌ ପାଣି ପିଇଲେ ଗର୍ଭବତୀଙ୍କୁ ଡିହାଇଡ୍ରେସନ ହୋଇ ବାନ୍ତିି ଲାଗେ, ମୁଣ୍ଡ ବିନ୍ଧେ ଏବଂ ଅଚେତ ହେବା ଭଳି ଲାଗେ- ତେଣୁ ସେମାନେ ଫଳରସ, ପଇଡ଼, ପାଣି, ଲେମ୍ବୁ ସରବତ ଆଦି ପ୍ରଚୁର ପରିମାଣରେ ପିଇବା ଦରକାର। ହେଲେ ବଜାରରେ ମିଳୁଥିବା ଦହି ଓ ଲସି ପିଇବା ଠିକ୍‌ ନୁହେଁ ା
ପରିଚ୍ଛନ୍ନତା ଗୁରୁତ୍ୱପୂର୍ଣ୍ଣ: ଗର୍ଭବତୀମାନେ ସ୍ବାସ୍ଥ୍ୟରକ୍ଷା ନିମନ୍ତେ ସଫାସୁତରା ରହିବା ଆବଶ୍ୟକ। ଭଲ ଭାବରେ ସ୍ନାନ କରିବା ଦ୍ୱାରା ଚର୍ମ ପରିଷ୍କାର ହୁଏ ଓ ଜୀବାଣୁ ଚର୍ମ ଭିତରକୁ ଯାଇପାରେ ନାହିଁ ା ବାହାରେ ବର୍ଷାରେ ଭିଜିଗଲେ ନିଜ ଶରୀରକୁ ଟାୱେଲରେ ପୋଛି ଶୁଖିଲା କରିବା ପରେ ଗରମ ପାଣିରେ ଗାଧୋଇବା ଦ୍ୱାରା ସଂକ୍ରମଣ ହୋଇ ନ ଥାଏ ା କେବଳ ସ୍ନାନ, ଶୌଚ ଠିକ୍‌ ଭାବେ କରିବା ନୁହେଁ ନଖକାଟିବା, ରାନ୍ଧିବା ଓ ଖାଇବା ଆଗରୁ ଡିସ୍‌-ଇନଫ୍ୟାକ୍ଟାଂଟ ହ୍ୟାଣ୍ଡଓ୍ବାଶ୍‌ ଲଗାଇ ହାତ ଧୋଇବା ଆବଶ୍ୟକ, ଯାହାକି ନିଜ ସହ ଗର୍ଭସ୍ଥ ଶିଶୁକୁ ବି ନୀରୋଗ ରଖିଥାଏ। ସେହିପରି ନିଜର ଘରଦ୍ୱାର ଓ ଆଖପାଖ ସ୍ଥାନ ମଧ୍ୟ ପରିଷ୍କାର ରଖନ୍ତୁ। କାର୍ବୋଲିକ୍‌ ସାବୁନର ଦ୍ରବଣରେ ଘରଦ୍ୱାର ପୋଛି ସଫା କରିବା ଦ୍ୱାରା ଜୀବାଣୁମୁକ୍ତ ରହିଥାଏ ା

ଏହା ସହ ବିଛଣା ଚଦର ଓ ତଉଲିଆ ଆଦି ସଫା ରଖିବା ଆବଶ୍ୟକ। ମ୍ୟାଲେରିଆ ଓ ଡେଙ୍ଗୁ ରୋଗରୁ ରକ୍ଷା ପାଇଁ ମଶାରି ଟାଣି ଶୁଅନ୍ତୁ। ଆବଶ୍ୟକ ସ୍ଥଳେ ମଶାଧୂପ ଓ ମଶାକ୍ରିମ ବ୍ୟବହାର କରିପାରିବେ। ସର୍ବଦା କଟନ୍‌ ବା ସୂତା କପଡା ପିନ୍ଧିବା ଭଲ

Comments are closed.