କେବେ ଅମୃତପାଲଙ୍କୁ ଧରିବା ପୋଲିସ

ନୂଆଦିଲ୍ଲୀ :ମାସକ ତଳେ ପଞ୍ଜାବ ପୁଲିସ୍‌ ହାଇଆଲର୍ଟ ଜାରି କରିବା ସହ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହଙ୍କୁ ଧରିବା ପାଇଁ ବଡ଼ଧରଣର ଅଭିଯାନ ଆରମ୍ଭ କରିଥିଲା। ମାର୍ଚ୍ଚ ୧୮ ତାରିଖରେ ଜଲନ୍ଧର ନିକଟରେ ପୁଲିସ୍‌ ଅମ୍ରିତପାଲକୁ ଧରିବାକୁ ଚେଷ୍ଟା କରିଥିଲେ ହେଁ ସେ ଖସି ଯିବାକୁ ସକ୍ଷମ ହୋଇଥିଲା।

ସେବେଠାରୁ ପଞ୍ଜାବ ପୁଲିସ୍‌ ଠାରୁ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ଅମ୍ରିତପାଲକୁ ଧରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସୁରକ୍ଷାକର୍ମୀଙ୍କୁ ଏଯାଏ ସଫଳତା ପାଇ ନାହାନ୍ତି। ମାସକ ମଧ୍ୟରେ ପୁଲିସ୍‌ ଅମ୍ରିତପାଲର ଅନେକ ସହଯୋଗୀ ଓ ସମର୍ଥକଙ୍କୁ ଗିରଫ କରିସାରିଲାଣି। ତେବେ ଅମ୍ରିତପାଲକୁ ନ ଧରିପାରିବା ପଞ୍ଜାବ ପୁଲିସ୍‌ର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅମ୍ରିତପାଲ ମାସେ ହେଲାଣି ଫେରାର ଥିବା ବେଳେ ତାକୁ ପଳାତକ ଘୋଷଣା କରାଯାଇଛି। ତା’ର ଅଧିକାଂଶ ସହଯୋଗୀଙ୍କ ନାଁରେ ଜାତୀୟ ସୁରକ୍ଷା ଆଇନରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି। ସେମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ଆସାମର ଦିବ୍ରୁଗଡ଼ ଜେଲ୍‌କୁ ପଠାଇ ଦିଆଯାଇଛି। ଅମ୍ରିତପାଲକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯିବା ସହ ଚଢ଼ଉ କରାଯାଉଛି। ହେଲେ ତା’କୁ ଧରିବାକୁ ପଞ୍ଜାବ ପୁଲିସ୍‌ ସଫଳ ହୋଇନାହିଁ।

ମାସକ ତଳେ ଯେତେବେଳେ ଅମ୍ରିତପାଲ ସିଂହକୁ ଧରିବା ପାଇଁ ପୁଲିସ୍‌ ଅଭିଯାନ ଆରମ୍ଭ କରିଥିଲା ତା’ ପୂର୍ବରୁ ସେ ନିଜକୁ ଜଣେ ମୌଳବାଦୀ ଚିନ୍ତାଧାରାର ପ୍ରଚାରକ ଭାବେ ଘୋଷଣା କରିବା ସହ ଖଲିସ୍ତାନ ସପକ୍ଷରେ ଯୁକ୍ତି ରଖିଥିଲା। ଖଲିସ୍ତାନ ସପକ୍ଷରେ ଯୁକ୍ତି ରଖୁଥିବା ଅମ୍ରିତପାଲ ଫେବୃଆରୀ ୨୩ରେ ଚର୍ଚ୍ଚାକୁ ଆସିଥିଲା।

Comments are closed.