ଜୁନାନିବାହାଲ ଗାଁରେ ପୋଲିସ ମାଓବାଦୀ ମୁହାଁ ମୁହିଁ , ଜଣେ ମାଓବାଦୀ ନିହତ
ଖପ୍ରାଖୋଲ(ଉମାକାନ୍ତ ପଧାନ) : ଖପ୍ରାଖୋଲ ଥାନା ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଜୁନାନିବାହାଲ ଗାଁରେ ଶନିବାର ସନ୍ଧ୍ୟାରେ ପୋଲିସ ଓ ମାଓବାଦୀ ମୁହାଁ ମୁହିଁ ହୋଇଥିବା ବେଳେ ଜଣେ ମାଓବାଦୀ ପୋଲିସ ଗୁଳିରେ ନିହତ ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ କିଛିଦିନ ହେଲା ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ମାଓ ଗତିବିଧି ସକ୍ରିୟ ଥିବା ପୋଲିସ ପାଖରେ ସୂଚନାଥିବା ବେଳେ କିଛିଦିନ ହେଲା କମ୍ବିଂ ଅପରେସନ ଜାରି ରହିଥିଲା । ଶନିବାର ସନ୍ଧ୍ୟାରେ ଜୁନାନିବାହାଲ ଗାଁରେ ମାଓବାଦୀ ଉପସ୍ଥିତି ପୋଲିସ କୌଣସି ସୂତ୍ରରୁ ଜାଣି ଡିଭିଏପ ଓ ଏସଓଜି ଅପରେସନ ଆରମ୍ଭ କରିଥିଲେ । ଏଥିରେ ଜଣକ ଘରେ କିଛି ମାଓବାଦୀ ଥିବାବେଳେ ପୋଲିସ ଉପରକୁ ଅତର୍କିତ ଗୁଳି ଚାଳନା କରିଥିବା ବେଳେ ପୋଲିସ ଜବାବରେ ଗୁଳି ଚାଳନା କରିଥିଲା । ଏଥିରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଥିବା ବେଳେ ଅନ୍ୟ କେତେକ ଖସି ଯିବାକୁ ସକ୍ଷମ ହୋଇଥିଲେ । ମୃତ ଦେହ ନିକଟରୁ ଏକ ବନ୍ଧୁକ ଜବତ କରିଥିବା ବେଳେ ମୃତଦେହ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ନେଇଥିବା ଜଣାଯାଇଛି । ଘଟଣା ପରେ ଜୁନାନିବାହାଲ ଗାଁ ଚାରିପଟେ ସି.ଆର.ପି.ଏପ ଏବଂ ପୋଲିସ ଘେରି ରହିଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି । ଯେଉଁ ଘରେ ମାଓବାଦୀ ଥିଲେ ସେହି ପରିବାର କୁ ପୋଲିସ ପଚରା ଉଚୁରା କରୁଥିବା ବେଳେ ଗଣମାଧ୍ୟମ ସମ୍ମୁଖରେ କିଛି କହିବାକୁ ପୋଲିସ ମନାକରି ଦେଇଛି ।
Comments are closed.