ଇଡିରେ ହାଜର ହେଲେ କବିତା

ନୂଆଦିଲ୍ଲୀ :ଦିଲ୍ଲୀ ମଦ ଦୁର୍ନୀତି ମାମଲରେ ଜଡିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଆଜି ପୁଣି ଜେରା କରିଛୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଦ୍ୱିତୀୟ ପର୍ଯ୍ୟାୟ ଜେରା ପାଇଁ ଆଜି ବିଆର୍‌ଏସ୍ ନେତ୍ରୀ କେ.କବିତା ଇଡିରେ ହାଜର ହୋଇଛନ୍ତି।

କେ.କବିତାଙ୍କୁ ଏହି ମାମଲାରେ ପ୍ରଥମେ ମାର୍ଚ୍ଚ ୧୧ ତାରିଖ ଦିନ ଜେରା କରାଯାଇଥିଲା। ଏହାପରେ ପୁଣି ମାର୍ଚ୍ଚ ୧୬ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର‌୍ୟ୍ୟାଳୟରେ ହାଜର ହେବାକୁ ସମନ୍ ଜାରି କରାଯାଇଥିଲା। କିନ୍ତୁ, ଏହି ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ କରି ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏଥିସହ ଏହି ଆବେଦନ ଅଦାଲତାରେ ବିଚାରଧିନ ଥିବା ଦର୍ଶାଇ କବିତା ଇଡିରେ ହାଜର ହୋଇନଥିଲେ।

ଏହାପରେ ଇଡି କବିତାଙ୍କ ଆବେଦନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲା। ବିନା ଶୁଣାଣିରେ କୌଣସି ରାୟ ନ ଦେବାକୁ ଇଡି ସର୍ବୋଚ୍ଚ ଅଦାଲତଙ୍କୁ ନିବେଦନ କରିଥିଲା। ଏଥିସହ କେ.କବିତାଙ୍କୁ ମାର୍ଚ୍ଚ ୨୦ରେ ଆସି ହାଜର ହେବାକୁ କହିଥିଲା ଇଡି।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିର ମନିଲଣ୍ଡରିଂ ମାମଲା ସହ ଜଡିତ ଥିବା ଅଭିଯୋଗରେ କେ.କବିତାଙ୍କୁ ମାର୍ଚ୍ଚ ୧୧ ତାରିଖ ଦିନ ଇଡି ୯ ଘଣ୍ଟା ଜେରା କରାଯାଇଥିଲା। ତାଙ୍କୁ ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ରନ୍ ପିଲ୍ଲାଇ ଦେଇଥିବା ବୟାନର ସମ୍ମୁଖୀନ କରାଯାଇଥିଲା। ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ପିଲ୍ଲାଇଙ୍କର ଅନ୍ୟମାନଙ୍କ ଅପେକ୍ଷା କେ. କବିତାଙ୍କ ସହିତ ଅଧିକ ଘନିଷ୍ଠତା ଥିଲା।

Comments are closed.