ସଂସଦ ଆକ୍ରମଣ ଘଟଣା: ସମସ୍ତ ଅଭିଯୁକ୍ତଙ୍କ ହେବ ମାନସିକ ପରୀକ୍ଷା

ଦେଶର ସବୁଠାରୁ ସୁରକ୍ଷିତ ବିଲଡିଂ ସଂସଦରେ ଅନୁପ୍ରବେଶ କରି ଧୂଆଁ ମାଡ଼ କରି ନିଜର ଦାବି ଉପସ୍ଥାପନ କରିଥିବା ୪ ଅଭିଯୁକ୍ତଙ୍କୁ ଆଉ ୧୫ ଦିନ ପାଇଁ ରିମାଣ୍ଡରେ ନେଇଛି ଦିଲ୍ଲୀ ପୁଲିସ୍‌। ପ୍ରଥମେ ସେମାନଙ୍କୁ ପୁଲିସ ୭ ଦିନିଆ ରିମାଣ୍ଡରେ ନେଇଥିଲେ।

ଗୁରୁବାର ପଟିଆଲା ହାଉସ କୋର୍ଟ ଆଉ ୧୫ ଦିନ ପାଇଁ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ୍‌ ହେପାଜତରେ ଛାଡ଼ିଛନ୍ତି। ଅଭିଯୁକ୍ତ ସାଗର ଶର୍ମା, ମନୋରଞ୍ଜନ, ନୀଲମ ଦେବୀ ଓ ଅମୋଲ ସିନ୍ଦେ ଜାନୁଆରୀ ୫ ଯାଏ ପୁଲିସ୍‌ ହେପାଜତରେ ରହିବେ।

ପୁଲିସ୍‌ ଏମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଓ ମାନସିକ ସ୍ଥିତିର ଯାଞ୍ଚ କରିବାକୁ ଚାହୁଁଛି। ତେଣୁ ସମସ୍ତ ଅଭିଯୁକ୍ତଙ୍କର ମାନସିକ ପରୀକ୍ଷା କରାଯିବ। ଏହି ୪ ଅଭିଯୁକ୍ତଙ୍କ ବ୍ୟତୀତ ଘଟଣାର ମାଷ୍ଟରମାଇଣ୍ଡ ଲଳିତ ଝାଙ୍କର ମଧ୍ୟ ମାନସିକ ଅବସ୍ଥା ଜାଣିବା ପାଇଁ ପୁଲିସ୍‌ ବିଭିନ୍ନ ପ୍ରକାରର ପରୀକ୍ଷା କରିବ।

ଏଯାଏ ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ବୁଧବାର ଫରେନ୍ସିକ ସାଇନ୍ସ ଲ୍ୟାବକୁ ନିଆଯାଇଥିଲା। ସେଠାରେ ତାଙ୍କର ମାନସିକ ଅବସ୍ଥାର ପରୀକ୍ଷା କରାଯାଇଛି। ଅନ୍ୟମାନଙ୍କୁ ପର୍ଯ୍ୟାୟକ୍ରମେ ଲ୍ୟାବ ନିଆଯାଇ ପରୀକ୍ଷା କରାଯିବ।

Comments are closed.