ଜାଣନ୍ତୁ କେବେ ହେବ ପଞ୍ଚାୟତ ନିର୍ବାଚନ , ପ୍ରକାଶ ପାଇଲା ତାରିଖ

ଭୁବନେଶ୍ୱର : ସବୁ କଳ୍ପନା ଜଳ୍ପନାରେ ହେଲା ଅନ୍ତ । ଶେଷରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ | ତାରିଖ ଘୋଷଣା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ଏକ ପ୍ରେସ୍‌ମିଟ୍‌ ଜରିଆରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ନିର୍ବାଚନ ପାଇଁ ଜାନୁଆରୀ ୧୬ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଏହା ଜାନୁଆରୀ ୨୧ ଯାଏଁ ଚାଲିବ । ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ସେହିପରି ୨୫ ତାରିଖ ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସୁଯୋଗ ମିଳିବ । ଜାନୁଆରୀ ୨୮ରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା ।
ତେବେ ୫ମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ଫେବୃଆରୀ ୧୬ରେ ପ୍ରଥମ, ୧୮ରେ ଦ୍ୱିତୀୟ, ୨୦ରେ ତୃତୀୟ, ଚତୁର୍ଥ ପର୍ଯ୍ୟାୟ ୨୨ ଓ ଫେବୃଆରୀ ୨୪ ତାରିଖରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଭୋଗ ଗ୍ରହଣ ଦିନ ସକାଳ ୯ଟାରୁ ସନ୍ଧ୍ୟା ୮ଟା ଯାଏଁ କାର୍ଯ୍ୟକ୍ଷମ ହେବ ।
ପଞ୍ଚାୟତ ନିର୍ବାଚନ ପାଇଁ କଣ୍ଡ୍ରୋଲ ରୁମ୍ ଖୋଲିଯାଇଛି । ଏହାପରେ ଫେବୃଆରୀ ୨୬, ୨୭,୨୮ରେ ଭୋଟ ଗଣତି ହେବ । ପ୍ରତି ବ୍ଲକ ସ୍ତରରେ ହେବ ଭୋଟ ଗଣତି କେନ୍ଦ୍ର । ତେବେ ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ଯାହା ଫେବୃଆରୀ ୨୮ ପର୍ଯ୍ୟନ୍ତ ରହିବ ।

ସେହିପରି କରୋନା ଗାଇଡଲାଇନ୍ ପାଇଁ ରାଲି, ସମାବେଶ ଆଦି ହୋଇପାରିବ ନାହିଁ । କେବଳ ଘରକୁ ଘର ବୁଲି ପ୍ରାର୍ଥୀମାନେ କ୍ୟାମ୍ପେନିଂ କରିପାରିବେ । ଏହାସହ କୌଣସି ସ୍ଥାନରେ ଶୋଭାଯାତ୍ରା ମଧ୍ୟ ହେବ ନାହିଁ । ବିଜୟୀ ହେଲା ପରେ ଦଳମାନେ ସମାବେଶ ବା ବିଜୟୀ ଶୋଭାଯାତ୍ରା କରିପାରିବେ ନାହିଁ । କେବଳ ଆରଟିପିସିଆର କିମ୍ବା ଆଣ୍ଟିଜେନ୍ ଟେଷ୍ଟ୍ ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତିଙ୍କୁ ପୁଲିଂ ବୁଥ ମଧ୍ୟକୁ ପ୍ରବେଶ ଅନୁମତି ମିଳିବ । ଏହାସହ ଡବଲ ଡୋଜ୍ ଟିକା ନେଇଥିବା ମଧ୍ୟ ଜରୁରୀ । କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଗାଇଡ଼ଲାଇନ୍‌ ପ୍ରସ୍ତୁତ କରାଯାଇଛି । କୋଭିଡ଼ ସ୍ଥିତିକୁ ଦେଖି ସରକାରଙ୍କ ସହିତ ଆଲୋଚନା ହୋଇଛି ।

ଚଳିତଥର ତ୍ରିସ୍ତରୀୟ ପଂଚାୟତରେ ମୋଟ ୯୧୯୧୩ଜଣ ୱାର୍ଡମେମ୍ବର, ୬୭୯୪ଜଣ ସରପଂଚ, ୬୭୯୩ଜଣ ପଂଚାୟତ ସମିତି ସଭ୍ୟ ଓ ୮୫୩ଜଣ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ରାଜ୍ୟର ମୋଟ ୨କୋଟି ୭୯ଲକ୍ଷ ୩୫ହଜାର ୫୨୫ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ତେବେ ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ପଂଚାୟତରେ ସରପଂଚ ଓ ୱାର୍ଡମେମ୍ବର ନିମନ୍ତେ ନିର୍ବାଚନ ହେବ ନାହିଁ ।

Comments are closed.