ପାକିସ୍ତାନ ଫେରନ୍ତା ବିରଜୁ କୁଲୁ ତାଳଚେରରୁ ଉଦ୍ଧାର
ତାଳଚେର, ୫ା୧ : ତାଳଚେରରୁ ଉଦ୍ଧାର ହୋଇଛନ୍ତି ପାକିସ୍ତାନ ଫେରନ୍ତା ବିରଜୁ କୁଲୁ । ଜାନୁଆରୀ ୨ରୁ ନିଖୋଜ ଥିବା ସୁନ୍ଦରଗଡ଼ ଜିଲ୍ଲାର ବିରଜୁ କୁଲୁଙ୍କୁ ତାଳଚେରରୁ ଠାବ କରାଯାଇଛି ବୋଲି ସୁନ୍ଦରଗଡ଼ SP ସୂଚନା ଦେଇଛନ୍ତି । ତାଳଚେର ଅଞ୍ଚଳରେ ସେ ବୁଲୁଥିବା ସମୟରେ ସ୍ଥାନୀୟ ପୋଲିସ ତାଙ୍କୁ ଉଦ୍ଧାର କରିଛି ।
ତେବେ ପାକିସ୍ତାନର ଲାହୋର ଜେଲରେ ଦୀର୍ଘ ୨୦ ବର୍ଷ ଧରି ବନ୍ଦୀ ଜୀବନ କାଟି ମୁକ୍ତ ହେବା ପରେ ନଭେମ୍ବର ୧୨ ତାରିଖରେ ଭିଟାମାଟିକୁ ଫେରିଥିଲେ ସୁନ୍ଦରଗଡ଼ ଜିଲ୍ଲାର ବିରଜୁ କୁଲୁ। ପ୍ରଥମେ ତାଙ୍କୁ କୁତ୍ରା ବ୍ଲକକୁ ନିଆଯାଇଥିଲା। ସେଠାରେ ସେ ଜିଲ୍ଲା ପ୍ରଶାସନର ହେପାଜତରେ ରାତି କାଟିଥିଲେ। ତା ପର ଦିନ ଅର୍ଥାତ୍ ନଭେମ୍ବର ୧୩ ତାରିଖ ସକାଳେ ଏକ ଶୋଭାଯାତ୍ରାରେ ବିରଜୁଙ୍କୁ ନିଜ ଗାଁ କୁତ୍ରା ବ୍ଲକର କଟଙ୍ଗକୁ ନିଆଯାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
କିନ୍ତୁ ଘରକୁ ଫେରିବାର କିଛିଦିନ ପରେ ଗତ ୨ ତାରିଖରୁ ବିରଜୁ ନିଖୋଜ ଥିଲେ । ମାନସିକ ଭାରସାମ୍ୟ ହରାଇ ସେ ଘରୁ ବାହାରି ଟ୍ରକରେ ଚାଲିଯାଇଥିଲେ ବୋଲି ଖବର ମିଳିଥିଲା । ଚାରିଆଡ଼େ ଖୋଜିବା ପରେ ବିରଜୁଙ୍କ ପତ୍ତା ନମିଳିବାରୁ ତାଙ୍କ ଭଉଣୀ କୁତ୍ର। ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯାହାଫଳରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ପରେ ନିଖୋଜ ବିରଜୁଙ୍କୁ ତାଳଚେରରୁ ଠାବ କରିଛି ପୋଲିସ ।
Comments are closed.