ମାଛଚାଷରେ ଓଡ଼ିଶା ଚତୁର୍ଥ

ଭୁବନେଶ୍ୱର: ଆମ ରାଜ୍ୟ ଓଡ଼ିଶା ଶସ୍ୟ ଶ୍ୟାମଳରେ ଭାରପୁର । ରାଜ୍ୟରେ ଥିବା ପ୍ରଚୁର ଜଳସମ୍ପଦରେ ମତ୍ସ୍ୟଚାଷର ବିପୁଳ ସମ୍ଭାବନାକୁ ଉପଯୋଗ କରି ମାଛ ଉତ୍ପାଦନ ବୃଦ୍ଧି କରାଯାଇପାରିଛି। ଦୁଇ ଦଶନ୍ଧିରେ ମାଛ ଉତ୍ପାଦନ ୨.୬୦ ଲକ୍ଷ ମେଟ୍ରିକ୍ ଟନ୍‌ରୁ ବୃଦ୍ଧି ପାଇ ୨୦୨୧ – ୨୨ରେ ୯.୯୧ ଲକ୍ଷ ମେଟ୍ରିକ୍ ଟନ୍‌ରେ ପହଞ୍ଚିଛି ଏବଂ ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଛି। ରାଜ୍ୟ ସରକାରଙ୍କ ଦ୍ବାରା ମତ୍ସ୍ୟଚାଷ ଅନୁକୂଳ ନୀତି ପ୍ରଣୟନ, ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର, ଉନ୍ନତ ପ୍ରଜାତିର ମାଛଚାଷ ଓ ମତ୍ସ୍ୟଖାଦ୍ୟ ପ୍ରୟୋଗ ଫଳରେ ମାଛଚାଷରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ବୋଲି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।

ଆସୋଚାମ୍ ଦ୍ବାରା ଆୟୋଜିତ ‘ଭାରତରେ ମାଛଚାଷ ଏବଂ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣର ସୁଦୃଢ଼ୀକରଣ’ ଶୀର୍ଷକ ଏକ ୱେବିନାର୍‌ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଲେ ଯେ ୨୦୦୦ରେ ରାଜ୍ୟରେ ୧ ,୦୪୬ କୋଟି ଟଙ୍କା ମୂଲ୍ୟର ମାଛ ଉତ୍ପାଦନ ହୋଇଥିବାବେଳେ ୨୦୨୦ – ୨୧ ବର୍ଷରେ ଏହା ପ୍ରାୟ ଦଶଗୁଣା ବୃଦ୍ଧି ପାଇ ୧୦,୮୧୫ କୋଟି ଟଙ୍କାରେ ପହଞ୍ଚିଛି। ରାଜ୍ୟର ମୋଟ ମୂଲ୍ୟ ଯୋଗଦାନରେ ମତ୍ସ୍ୟ କ୍ଷେତ୍ରର ଅବଦାନ ୨.୪ ପ୍ରତିଶତ ହୋଇପାରିଛି। କ୍ଷାରପାଣି ଚିଙ୍ଗୁଡ଼ି ଚାଷରେ ମଧ୍ୟ ମତ୍ସ୍ୟ ଉତ୍ପାଦିକା ପ୍ରାୟ ୬ ଗୁଣ ବୃଦ୍ଧି ପାଇଛି ବୋଲି ସେ ପ୍ରକାଶ କରିଛନ୍ତି। ରାଜ୍ୟର ୪୮୦ କିମି ଦୀର୍ଘ ସାମୁଦ୍ରିକ ଉପକୂଳର ଉପଯୁକ୍ତ ବିନିଯୋଗ ଯୋଗୁଁ ବିଗତ ୨୦ ବର୍ଷରେ ରାଜ୍ୟର ସାମୁଦ୍ରିକ ଖାଦ୍ୟ ରପ୍ତାନି ୨୦୦୦ – ୦୧ରେ ୩୭୯ କୋଟି ଟଙ୍କାରୁ ବାରଗୁଣ ବୃଦ୍ଧି ପାଇ ୨୦୨୧ – ୨୨ରେ ୪,୫୨୬ କୋଟି ଟଙ୍କାରେ ପହଞ୍ଚିଛି। ରାଜ୍ୟର ମୋଟ ରପ୍ତାନି ଆୟର ୫.୯୦ ପ୍ରତିଶତ ସାମୁଦ୍ରିକ ଖାଦ୍ୟ ରପ୍ତାନୀରୁ ଆସିଥାଏ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ।

Comments are closed.