ମିଳିଲାନି ନାୟ , ବିଧାନସଭା ଆଗରେ ଆତ୍ମହୁତି ଉଦ୍ୟମ କଲେ ଦମ୍ପତି

ଭୁବନେଶ୍ୱର : ଥାନାକୁ ଦୌଡ଼ି ନିରାଶ ହେଲେ। ଥାନାଧିକାରୀ ନ୍ୟାୟ ଦେବା ବଦଳରେ ଥାନାରୁ ତଡ଼ିଦେଲେ। ଜିଲା ପ୍ରଶାସନ ମଧ୍ୟ ଶୁଣିଲା ନାହିଁ। ଶେଷରେ ଗଞ୍ଜାମ ଜିଲାର ଏକ ଦମ୍ପତି ଭୁବନେଶ୍ୱର ଚାଲି ଆସି ଧାରଣା ଦେଇଥିଲେ। ହେଲେ ଏଠାରୁ ମଧ୍ୟ ନ୍ୟାୟ ମିଳିବା ଆଶା ହରାଇବା ପରେ ଶନିବାର ବିଧାନସଭା ସମ୍ମୁଖରେ ଦେହରେ କିରୋସିନ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଉପସ୍ଥିତ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଆହତ ଦମ୍ପତି ହେଲେ ବୁଗୁଡ଼ା ଥାନାଞ୍ଚଳର ବସନ୍ତ ସାହୁ ଓ ତାଙ୍କ ସ୍ତ୍ରୀ ରୀତା। କ୍ୟାପିଟାଲ ଥାନା ପୋଲିସ ସେମାନଙ୍କୁ ପଚରାଉଚରା କରିବା ସହ ସୁସ୍ଥ ହେବା ପରେ ଛାଡ଼ି ଦେଇଥିବା ଜଣାପଡିଛି।
ଜମିବାଡ଼ି ବିବାଦକୁ ନେଇ ବସନ୍ତଙ୍କ ଭାଇମାନେ ସେମାନଙ୍କୁ ନାନା ହଇରାଣ କରୁଛନ୍ତି। ଗଞ୍ଜାମ ଜିଲା ପ୍ରଶାସନ, ପୋଲିସର ନିଷ୍ରିୟତା ବିରୋଧରେ ଗତ ୧୫ଦିନ ଧରି ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜିରେ ଧାରଣାରେ ବସିଥିଲେ। ହେଲେ କୌଣସି ନ୍ୟାୟ ନ ମିଳିବାରୁ ଶନିବାର ଅପରାହ୍ନ ପ୍ରାୟ ୨ଟା ୫୦ରେ ସେମାନେ ହାତରେ କିରୋସିନ ବୋତଲ ଧରି ବିଧାନସଭା ଆଡକୁ ଚାଲି ଚାଲି ଯାଉଥିଲେ। ପୋଲିସ ଚାରିଆଡେ ପଇଁତରା ମାରୁଥିବା ସମୟରେ ସ୍ବାମୀ-ସ୍ତ୍ରୀ ଦୁହେଁ କିରୋସିନ ଢ଼ାଳି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ।

Comments are closed.