ଦୁଇ ରାଜ୍ୟ ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଭୋଟରମାନଙ୍କୁ ମାଗଣା ଉପହାର ବଣ୍ଟାଯାଉଥିବା ଅଭିଯୋଗରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଥିଲା। ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି ଅବସରରେ ଉପରୋକ୍ତ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଉକ୍ତ ପିଆଇଏଲ୍‌ ଉପରେ କେନ୍ଦ୍ର ସରକାର, ନିର୍ବାଚନ କମିଶନ ଏବଂ ଭାରତର ରିଜର୍ଭ ବ୍ୟାଙ୍କକୁ ମଧ୍ୟ ନୋଟିସ୍‌ ଜାରି କରିଛନ୍ତି। ୨ ରାଜ୍ୟ ସରକାର ଭୋଟରମାନଙ୍କୁ ପ୍ରଲୋଭିତ କରିବା ଲାଗି ଟିକସଦାତାମାନଙ୍କ ଅର୍ଥର ଦୁରୁପଯୋଗ କରୁଥିବା ନେଇ ଜନସ୍ବାର୍ଥ ମାମଲାରେ ଅଭିଯୋଗ କରାଯାଇଥିଲା। ନିର୍ବାଚନ ପୂର୍ବରୁ ସରକାର ଟଙ୍କା ବାଣ୍ଟିବାଠାରୁ ଆଉ ଦୁଃଖର କଥା କିଛି ନାହିଁ ବୋଲି ଆବେଦନକାରୀଙ୍କ ଓକିଲ କହିଛନ୍ତି। ପ୍ରତିଥର ନିର୍ବାଚନ ପୂର୍ବରୁ ଏଭଳି ହେଉଛି ଓ ତାହାର ପରୋକ୍ଷ ବୋଝ କରଦାତାମାନଙ୍କ ଉପରେ ପଡ଼ୁଛି। ଏହା ଉପରେ ସୁପ୍ରିମକୋର୍ଟ ନୋଟିସ ଜାରି କରିବା ସହ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ସମ୍ପୃକ୍ତ ପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.