ଉତ୍ତରକୋରିଆକୁ ଏମିତି ଚେତାବନୀ ଦେଲା ଆମେରିକା
ଓ୍ବାଶିଂଟନ : ଆମେରିକାର ଡେପୁଟି ସେକ୍ରେଟେରୀ ୱେଣ୍ଡି ଶେରମାନ ମଙ୍ଗଳବାର ଚେତାବନୀ ଦେଇଛନ୍ତି ଯେ ଯଦି ଉତ୍ତର କୋରିଆ ଆଣବିକ ପରୀକ୍ଷଣ କରେ ତେବେ ଏହାର କଡ଼ା ଜବାବ ଦିଆଯିବ। ୱେଣ୍ଡି ଏବେ ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଅଛନ୍ତି, ଯେଉଁଠାରେ ସେ ଜାପାନ ଏବଂ ଦକ୍ଷିଣ କୋରିଆର ନେତାମାନଙ୍କୁ ଭେଟି ସାମ୍ପ୍ରତିକ ଉତ୍ତେଜନା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ।
ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ଙ୍କ ଏଭଳି କାର୍ଯ୍ୟ ନେଇ ଓ୍ବେଣ୍ଡି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଛନ୍ତି।
ଆମେରିକା ଏବଂ ଦକ୍ଷିଣ କୋରିଆର ଅଧିକାରୀମାନେ କହିଛନ୍ତି ଯେ ଉତ୍ତର କୋରିଆ ଏହାର ଉତ୍ତର-ପୂର୍ବ ସହର ପୁଙ୍ଗୟେ-ରିରେ ଥିବା ପରମାଣୁ ପରୀକ୍ଷଣ ଅଞ୍ଚଳରେ ଆଉ ଏକ ଆଣବିକ ପରୀକ୍ଷା ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ଏହାପୂର୍ବରୁ, ଉତ୍ତର କୋରିଆ ସେପ୍ଟେମ୍ବର ୨୦୧୭ରେ ସମାନ ସ୍ଥାନରେ ଆଣବିକ ପରୀକ୍ଷଣ କରିଥିଲା। ଉତ୍ତର କୋରିଆ ଏହାର ଆନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ପାଇଁ ଡିଜାଇନ ହୋଇଥିବା ଥର୍ମୋନ୍ୟୁକ୍ଲିୟର ୱାରହେଡ ପରୀକ୍ଷା କରିଥିବା ଦାବି କରିଥିଲା।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ କହିଛି ଯେ ଯଦି କିମ୍ ପୁଣି ଆଣବିକ ପରୀକ୍ଷଣ କରନ୍ତି ତେବେ ଉତ୍ତର କୋରିଆ ଉପରେ ଅତିରିକ୍ତ ଅନ୍ତର୍ଜାତୀୟ କଟକଣା ଲାଗୁ କରାଯିବ। ଦକ୍ଷିଣ କୋରିଆର ଡେପୁଟି ବୈଦେଶିକ ମନ୍ତ୍ରୀ ଚୋ ହୁନ-ଡୋଙ୍ଗଙ୍କ ସହ ସାକ୍ଷାତ ପରେ ଶେରମାନ କହିଛନ୍ତି ଯେ ଉତ୍ତର କୋରିଆ ଦ୍ୱାରା କରାଯିବାକୁ ଥିବା ଯେ କୌଣସି ଆଣବିକ ପରୀକ୍ଷା ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପଗୁଡିକର ସମ୍ପୂର୍ଣ୍ଣ ଉଲ୍ଲଂଘନ ହେବ। ଏଭଳି ପରୀକ୍ଷଣ ଉପରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଏହାର ଉପଯୁକ୍ତ ଉତ୍ତର ଦିଆଯିବ ବୋଲି ସେ କହିଛନ୍ତି।
Comments are closed.