ନିକୋବର ଛୁଇଁଲା ମୌସୁମୀ ବାୟୁ

ନୂଆଦିଲ୍ଲୀ : ଭାରତୀୟ କୃଷିଭିତ୍ତିକ ଅର୍ଥନୀତି ପାଇଁ ବେଶ ଗୁରୁତ୍ବ ବହନ କରୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଅର୍ଥାତ୍ ମେ ୧୯ ତାରିଖରେ ନିକୋବର ଦ୍ବୀପ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଛୁଇଁଛି । ଏ ସଂପର୍କରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଆସନ୍ତା ୩-୪ ଦିନର ଦକ୍ଷିଣ-ପଶ୍ଚିମ ମୌସୁମୀ ସମଗ୍ର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ, ଦକ୍ଷିଣ ବଙ୍ଗୋପସାଗରର ଆଉ କିଛି ଅଂଶ, ସମଗ୍ର ଆଣ୍ଡାମାନ ସାଗର ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି ।

କିଛିଦିନ ତଳେ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ଯେ ଆସନ୍ତା ଜୁନ ୪ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ । ତେବେ ପାଣିପାଗ ମଡେଲ ତ୍ରୁଟି ±୪ ଦିନ ହୋଇପାରେ, ଅର୍ଥାତ୍ ମୌସୁମୀ ୪ ଦିନ ଆଗୁଆ କିମ୍ବା ୪ ଦିନ ବିଳମ୍ବରେ ଆସିପାରେ ।

ଗତ ୧୫ ତାରିଖରେ ମାଡାଗାସ୍କର ନିକଟରେ ମାସକ୍ରେନାସ ହାଇ ନାମକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ମୌସୁମୀ ବାୟୁ ସୃଷ୍ଟି ହେବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ବାତ୍ୟା ମୋକା ଯୋଗୁଁ ଏବର୍ଷ ମୌସୁମୀ ପ୍ରଭାବରେ ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କା କରାଯାଉଥିଲା । କିନ୍ତୁ ମୌସୁମୀ ଆରମ୍ଭ ହେବା ପୂର୍ବରୁ ବାତ୍ୟା ଚାଲିଯାଇଥିବାରୁ ଏହାର ବିଶେଷ ପ୍ରଭାବ ମୌସୁମୀ ଉପରେ ପଡ଼ିନାହିଁ ।

Comments are closed.