୩୬ ବର୍ଷର ଧାରାକୁ ଭାଙ୍ଗିଲେ ନବାଗତ ଜେଡ୍‌ପିଏମ୍‌

ଆଇଜଲ: ମିଜୋରାମରେ ଗତ ୩୬ ବର୍ଷର ଧାରାକୁ ଭାଙ୍ଗିଛି ନବାଗତ ଜେଡ୍‌ପିଏମ୍‌ ବା ଜୋରାମ୍‌ ପିପୁଲ୍‌ସ ମୁଭ୍‌ମେଣ୍ଟ। ଏହି ୩୬ ବର୍ଷ ଭିତରେ ରାଜ୍ୟ ରାଜନୀତିରେ ରହିଥିଲା କଂଗ୍ରେସ ଏବଂ ଏମ୍‌ଏନ୍‌ଏଫ୍‌ର ଦବଦବ‌ା। କେବେ କଂଗ୍ରେସ ସରକାର ଗଢ଼ୁଥିଲା, ତ କେବେ ଏମ୍‌ଏନ୍ଏଫ୍। ତୃତୀୟ ବିକଳ୍ପ ହିଁ ନଥିଲା। କିନ୍ତୁ ଏଥର ସେହି ଧାରାକୁ ଭାଙ୍ଗି ରାଜ୍ୟ ରାଜନୀତିରେ ଧମାକା ସୃଷ୍ଟି କରିଛି ଜେଡ୍‌ପିଏମ୍‌। ପ୍ରଥମ ପଦାର୍ପଣରେ ଏମ୍‌ଏନ୍‌ଏଫ୍‌କୁ ହରାଇ କ୍ଷମତା ଦଖଲ କରିବାରେ ଏହି ନବଗଠିତ ଆଞ୍ଚଳିକ ଦଳ ସଫଳ ହୋଇଛି।

ଏହାର ନେତା ଲାଲଦୁହୋମା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ୨୦୧୮ ନିର୍ବ‌ାଚନ ବେଳେ ଜେଡ୍‌ପିଏମ୍‌ ଗଠିତ ହୋଇଥିଲେ ମଧ୍ୟ ଏହାକୁ ନିର୍ବ‌ାଚନ କମିସନ ସ୍ବୀକୃତି ଦେଇନଥିଲେ। ଫଳରେ ଏହାର ପ୍ରାର୍ଥୀ ସ୍ବାଧୀନ ଭାବେ ଲଢ଼ିଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣ ନିର୍ବ‌ାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହି ଦଳକୁ ସ୍ବୀକୃତି ମିଳିଥିଲା। ସ୍ବୀକୃତି ପାଇବା ପରେ ପ୍ରଥମ ଥର ଲାଗି ଏହା ନିର୍ବାଚନକୁ ଓହ୍ଲାଇଥିଲା। ପ୍ରଥମ ପଦାର୍ପଣରେ ଏହାକୁ ମିଳିଛି ୨୭ଟି ଆସନ।

Comments are closed.