ପ୍ରଶାନ୍ତ ମୁଦୁଲି ସରକାରୀ ଦଳ ମୁଖ୍ୟ ସଚେତକ, ସରୋଜ ମେହେର ଉପମୁଖ୍ୟ ସଚେତକ
ଭୁବନେଶ୍ୱର : ଜଗତ୍ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ଦାୟିତ୍ୱ ମିଳିଛି। ସେହିପରି ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ସରକାରୀ ଦଳ ଉପ ମୁଖ୍ୟ ସଚେତକ କରାଯାଇଛି। ଏ ନେଇ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ପୂର୍ବରୁ ସରକାରୀ ଦଳ ମୁଖ୍ୟ ସଚେତକ ପଦବୀରେ ଥିବା ପ୍ରମିଳା ମଲ୍ଲିକ ରବିବାର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମିଳିଛି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ୨୧ ଜଣିଆ ମନ୍ତ୍ରିମଣ୍ଡଳରେ ଜଗତ୍ସିଂହପୁର ଜିଲାରୁ କାହାରିକୁ ସ୍ଥାନ ମିଳି ନାହିଁ। ଏହାପୂର୍ବରୁ ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ ଜଳସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ହୋଇଥିଲେ। ସେ ଶନିବାର ଇସ୍ତଫା ଦେବାପରେ ସମ୍ଭାବ୍ୟ ନୂଆ ମନ୍ତ୍ରୀ ତାଲିକାରେ ଜଗତ୍ସିଂହପୁର ଜିଲାରୁ କେହି ନ ଥିଲେ। କିନ୍ତୁ ପ୍ରଶାନ୍ତ ମୁଦୁଲିଙ୍କୁ ଉପରୋକ୍ତ ଦାୟିତ୍ୱ ଦିଆଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ସେହିପରି ସରକାରୀ ଦଳ ଉପ ମୁଖ୍ୟ ସଚେତକ ପଦବୀରେ ଥିବା ରୋହିତ ପୂଜାରୀଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ସେ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ଉଚ୍ଚ ଶିକ୍ଷା ବିଭାଗର ଦାୟିତ୍ୱ ତୁଲାଇବେ। ତାଙ୍କ ସ୍ଥାନରେ ପାଟଣାଗଡ଼ ବିଧାୟକ ମେହେରଙ୍କୁ ନିଯୁକ୍ତ କରାଯାଇଛି। ସେ ୨୦୧୯ରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ପାଟଣାଗଡ଼ର ଟାଣୁଆ ନେତା ତଥା ଭାଜପାର ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓଙ୍କୁ ହରାଇ ଚର୍ଚ୍ଚାକୁ ଆସିଥିଲେ।
Comments are closed.