ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ନବନିର୍ବାଚିତ ପଂଚାୟତ ପ୍ରତିନିଧି ମାନଙ୍କ ଦିଗ୍ବିନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଗାଁର ସମସ୍ୟାକୁ ନିଜ ସମସ୍ୟା ଭାବେ ଗ୍ରହଣ କରି ଏହାର ସମାଧାନ ପାଇଁ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି  । ନବନିର୍ବାଚିତ ପଂଚାୟତ ପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥର ମହିଳାମାନେ ବହୁ ସଂଖ୍ୟାରେ ଜିତି ପଂଚାୟତର ମଙ୍ଗ ଧରିଛନ୍ତି । ଏହାଦ୍ୱାରା ବିଜୁ ବାବୁଙ୍କ ମହିଳା ସଶକ୍ତିକରଣର ସ୍ୱପ୍ନ ସାକାର ହୋଇଛି ବୋଲି ସେ ମତ ଦେଇଥିଲେ  ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଶାସନ ବ୍ୟବସ୍ଥା ଓ ବିକାଶ ଯୋଜନାରେ ପଂଚାୟତର ଗୁରୁତ୍ୱ ବିଷୟରେ ଆପଣମାନେ ଭଲ ଭାବରେ ଜାଣନ୍ତି  । ପଂଚାୟତ ହେଉଛି ସେବାର କେନ୍ଦ୍ର  । ସାଧାରଣ ଲୋକ ଯେପରି ସରକାରୀ ସେବାରୁ ବଂଚିତ ନ ହୁଏ, ସରକାରୀ ସେବା ପାଇବାରେ ହଇରାଣ ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ  । ଗରିବ ଲୋକ, ମହିଳା ତଥା ଦୁର୍ବଳ ଶ୍ରେଣୀର ଲୋକ ଓ  ସେମାନଙ୍କ ଅଧିକାରକୁ ସୁରକ୍ଷା ଦିଅନ୍ତୁ ବୋଲି କହି ଲୋକଙ୍କ ସୁଖଦୁଃଖରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ  ।
୫-ଟି ବିଷୟରେ ଆଲୋକପାତ କରି ସେ କହିଲେ ଯେ ୫-ଟି ହେଉଛି ଟେକ୍ନୋଲୋଜି, ଟିମ୍ୱାର୍କ, ଟାଇମ, ଟ୍ରାନ୍ସପାରେନ୍ସି ବା ସ୍ୱଚ୍ଛତା ଓ ରୂପାନ୍ତର ।  ୫-ଟି ମନ୍ତ୍ରକୁ ଗାଁର ବିକାଶରେ ଉପଯୋଗ କରନ୍ତୁ ବୋଲି ପରାମର୍ଶ ଦେଇ ସେ କହିଥିଲେ ଯେ ଏହାଦ୍ୱାରା ଆପଣଙ୍କ ଗାଁ, ଆପଣଙ୍କ ପଂଚାୟତର ପରିବର୍ତ୍ତନ, ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇପାରିବ  । ଜନସାଧାରଣ ଆମ ଉପରେ ଆସ୍ଥା ରଖିଛନ୍ତି, ଭରସା ରଖିଛନ୍ତି ବୋଲି ମତବ୍ୟକ୍ତ କରି ଲୋକଙ୍କୁ କେବେ ନିରାଶ ହେବାକୁ ଦେବା ନାହିଁ  । ସେମାନଙ୍କ ଆସ୍ଥା ଓ ଭରସାକୁ ପବିତ୍ର ଦାୟିତ୍ୱ ଭାବି ସେବା କଲେ ଲୋକଙ୍କ ହୃଦୟରେ ସବୁ ଦିନ ପାଇଁ ରହିଯିବେ ବୋଲି ସେ କହିଥିଲେ । ନିଜ କାମ ଦ୍ୱାରା ନିଜ ନିଜ ଅଂଚଳରେ ବିକାଶର ଦୂତ ଭାବରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମରେ ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ  ପ୍ରତାପ ଜେନା ଯୋଗ ଦେଇ ରାଜ୍ୟର ବିକାଶରେ ପଂଚାୟତରାଜ ଅନୁଷ୍ଠାନ ଗୁଡିକର ଭୂମିକା ସଂପର୍କରେ ଆଲୋକପାତ କରି ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ।
ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ ବର୍ତ୍ତମାନ ଜିପିଏସ୍ ଟେକ୍ନୋଲୋଜି ଜରିଆରେ ପଂଚାୟତର ସବୁ ଭିତ୍ତିଭୂମିକୁ ମ୍ୟାପିଂ କରାଯାଇଛି  । ଏହାଦ୍ୱାରା ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ସମାଧାନ ତୁରନ୍ତ ହୋଇପାରିବ । ପଂଚାୟତଗୁଡିକ ସରକାରଙ୍କ ଅଭିଯୋଗ ଶୁଣାଣୀ ବ୍ୟବସ୍ଥାର ପ୍ରଥମ ସୋପାନ ବୋଲି ମତବ୍ୟକ୍ତ କରି ଲୋକଙ୍କ ଅଭିଯୋଗ ଗୁଡିକୁ ପଂଚାୟତ ସ୍ତରରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ ।
କୃଷି ଓ କୃଷକ ସଶକ୍ତକରଣ ମନ୍ତ୍ରୀ ଅରୁଣ ସାହୁ କହିଲେ ଯେ ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳା ଓ ଯୁବଶକ୍ତିକୁ ଆଗକୁ ଆଣି ପଂଚାୟତଗୁଡିକୁ ସଶକ୍ତ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ସମସ୍ତେ ୫-ଟି ମନ୍ତ୍ରକୁ ଉପଯୋଗ କରି କାମ କଲେ, ରାଜ୍ୟରେ ରୂପାନ୍ତର ଆସିପାରିବ ବୋଲି ସେ କହିଥିଲେ  ।

Comments are closed.