ନୂଆ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା
ସମ୍ବଲପୁର : ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାଦ୍ୱାରା ଏହି ଜନଜାତି ବହୁଳ ଅଂଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବେ । କୁଚିଣ୍ଡାରେ ନୂଆ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ପ୍ରତିଷ୍ଠା ଦ୍ୱାରା କୁଚିଣ୍ଡା ବାମରା ଓ ଜମନକିରା ବ୍ଲକର ଯୁବସମାଜ ଉପକାର ପାଇବେ । ନିଯୁକ୍ତି ତଥା ଆତ୍ମନିଯୁକ୍ତିର ସୁଯୋଗ ଥିବା ଚାରିଗୋଟି ଟ୍ରେଡରେ ଏଠାରେ ୨୪୦ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦିଆଯିବ । ସମ୍ବଲପୁର ଆଖପାଖରେ ଅନେକ ଶିଳ୍ପାନୁଷ୍ଠାନ ଗଢି ଉଠୁଥିବାରୁ ଏହା ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିପୁଳ ଓ ଅତ୍ମନିଯୁକ୍ତି ପାଇଁ ସୁଯୋଗ ମଧ୍ୟ ସୃଷ୍ଟି କରିବ ।
ସେହିପରି ବଲାଙ୍ଗୀରର ପାଟଣାଗଡ ଠାରେ ପ୍ରତିଷ୍ଠିତ ଆଇଟିଆଇରେ ମଧ୍ୟ ୪ ଗୋଟି ଟ୍ରେଡରେ ୨୪୦ ଜଣ ପିଲା ଶିଳ୍ପ ତାଲିମ ପାଇପାରିବେ । ବୃତ୍ତିଗତ ତାଲିମ ବ୍ୟବସ୍ଥା ଦ୍ୱାରା ବ୍ଲକ୍ର ଯୁବକ ଯୁବତୀ ମାନଙ୍କୁ ଦକ୍ଷତା ବୃଦ୍ଧି ହେବା ସହିତ ନିଯୁକ୍ତି/ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟିରେ ସହାୟକ ହେବ ।
ସୂଚନାଯୋଗ୍ୟ ଯେ ରାଜ୍ୟର ୩୧୪ଟି ବ୍ଲକ୍ ମଧ୍ୟରୁ ୨୫୧ଟି ବ୍ଲକ୍ର ସରକାରୀ/ବେସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଆଇଟିଆଇ ରହିଛି । ସେହିପରି ୫୮ଟି ସବ୍ଡିଭିଜନ ମଧ୍ୟରୁ ୪୮ଟିରେ ଆଇଟିଆଇ ରହିଛି । ପାଟଣାଗଡ ଓ କୁଚିଣ୍ଡାରେ ଓଞଓ ପ୍ରତିଷ୍ଠା ହେବା ପରେ ଏହି ସଂଖ୍ୟା ୫୦କୁ ବୃଦ୍ଧି ପାଇବ ।
ସୂଚନାଯୋଗ୍ୟ ଯେ ସ୍କିଲ୍ଡ ଇନ ଓଡିଶା କାର୍ୟ୍ୟକ୍ରମ ଜରିଆରେ ଆମର ଯୁବକ ଯୁବତୀ ମାନେ ବିଭିନ୍ନ ସରକାରୀ ଶିଳ୍ପତାଲିମ ପ୍ରତିଷ୍ଠାନ ମାନଙ୍କରେ ତାଲିମ ନେଇ ନିଜର ଦକ୍ଷତା ଦ୍ୱାରା ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି ।
Comments are closed.