ବରଗଡ଼ବାସୀଙ୍କୁ ଉପହାର ଦେଲେ ନବୀନ

ବରଗଡ଼: ୨୧୪୯ କୋଟି ଟଙ୍କା ବ୍ଯୟରେ ୬୨ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହିତ ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ୨୧ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦେଇଛନ୍ତି ନବୀନ। ଓଡିଶାର ଜଳସେଚନର ବିକାଶ କ୍ଷେତ୍ରରେ ଆଉ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ୧୬୭୭ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଲୋକାର୍ପିତ ହୋଇଛି ।

ଏହାଦ୍ବାରା ଜିଲ୍ଲାର ଚାଷୀମାନଙ୍କର ଜମିକୁ ପାଣି ଯୋଗାଇବା ଆରମ୍ଭ ହୋଇଛି । ଏହି ପ୍ରକଳ୍ପ ଜରିଆରେ ଜିଲ୍ଲାର ୬୦ ହଜାର ଏକରରୁ ଅଧିକ ଜମିକୁ ପାଣି ମିଳିବ। ଜିଲ୍ଲାର ସୋହେଲା, ବିଜେପୁର, ବରପାଲି ଓ ଡୁଙ୍ଗୁରିପାଲି ବ୍ଲକର ଚାଷୀମାନେ ଏହା ଦ୍ୱାରା ବିଶେଷ ଉପକୃତ ହେବେ । ବଡ ବଡ ଜଳସେଚନ ପ୍ରକଳ୍ପ ଠିକ୍ ସମୟରେ ଶେଷ ହେଉଛି। ଆଜି ଓଡିଶା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାରା ଦେଶକୁ ଖାଦ୍ୟ ଯୋଗାଉଛି। ଏଥିରେ ବରଗଡ ଜିଲ୍ଲାର ଚାଷୀ ଭାଇମାନଙ୍କର ବହୁତ ବଡ ଅବଦାନ ରହିଛି ବୋଲି କହିଥିଲେ ନବୀନ।

ଯେତେବେଳେ ମୁଖ୍ୟମନ୍ତ୍ରୀ ଗଙ୍ଗାଧର ମେହେର ପ୍ରକଳ୍ପ ଘୋଷଣା କରିଥିଲେ ସେତେବେଳେ ବହୁ ଲୋକ ଏହା ଉପରେ ସନ୍ଦେହ ସୃଷ୍ଟି କରିଥିଲେ। ହୀରାକୁଦ ବନ୍ଧରୁ ବିଜେପୁର ୩୫ ମିଟର ଉଚ୍ଚରେ ଅବସ୍ଥିତ । କିନ୍ତୁ ସବୁ ସନ୍ଦେହକୁ ଦୂର କରି ମୁଖ୍ୟମନ୍ତ୍ରୀ ଦୃଢ ଇଚ୍ଛାଶକ୍ତି ବଳରେ ଆଧୁନିକ ଟେକନୋଲୋଜି ପ୍ରୟୋଗରେ ଏହାକୁ ସଫଳ କରିଛନ୍ତି । ଆଜି ମହାନଦୀରୁ ପାଇପ ଯୋଗେ ହଜାର ହଜାର ଏକର ଜମିକୁ ପାଣି ମିଳିଲା ବୋଲି କହିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

Comments are closed.