ଭୋଟ ବ୍ୟାଙ୍କ୍‌ ନୁହେଁ, ଆମେ ନୂଆ ଭାରତ ଗଢିବାକୁ ଆସିଛୁ’: ମୋଦି

ଶିମ୍‌ଲା : କେନ୍ଦ୍ର ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶିମଲାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ସକାଳ ୧୧ଟାରେ ଶିମଲାରେ ପହଞ୍ଚି ରୋଡ ଶୋ’ କରି ରିଜ୍‌ରେ ଆୟୋଜିତ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କିଷାନ ନିଧି ଯୋଜନାର ୧୧ତମ କିସ୍ତି ଟଙ୍କା ୧୦ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ କିଷାନ ନିଧି ଯୋଜନାର ଟଙ୍କା ଦେଶର କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଛି। ସେମାନେ ମଧ୍ୟ ଏହି ଟଙ୍କା ପାଇଛନ୍ତି ଏବଂ ଆଜି ମୁଁ ଶିମଲା ମାଟିରୁ ଦେଶର ୧୦ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିବାର ସୌଭାଗ୍ୟ ପାଇଛି।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,ଦଶନ୍ଧି ଦଶନ୍ଧି ଧରି ଆମ ଦେଶରେ ଭୋଟ ବ୍ୟାଙ୍କ ରାଜନୀତି ଚାଲିଛି। ନିଜର ଭୋଟ ବ୍ୟାଙ୍କ ତିଆରି କରିବା ରାଜନୀତି ଦେଶ ପାଇଁ ଅନେକ କ୍ଷତି କରିଛି। ଆମେ ଭୋଟ ବ୍ୟାଙ୍କ ଗଠନ ପାଇଁ ନୁହେଁ, ବରଂ ଏକ ନୂତନ ଭାରତ ଗଠନ ପାଇଁ କାର୍ଯ୍ୟ କରୁଛୁ। ମୋର ସଂକଳ୍ପ ହେଉଛି ପ୍ରତ୍ୟେକ ଭାରତୀୟଙ୍କ ସମ୍ମାନ, ସୁରକ୍ଷା, ସମୃଦ୍ଧତା, ସୁଖ ଏବଂ ଶାନ୍ତି ପାଇଁ ଯାହା ଆବଶ୍ୟକ, ତାହା କରିବି।

Comments are closed.