ରାଜ୍ୟରେ ସବୁ ଜିଲ୍ଲାରେ ଗଡିବ ମୋ ବସ

ଭୁବନେଶ୍ବର: ଫେବୃଆରୀ ଶେଷ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍ । ରାଜ୍ୟର ସବୁ ଜିଲ୍ଲାରେ ପଞ୍ଚାଯତରୁ ବ୍ଲକକୁ ଗଡ଼ିବ ଲକ୍ଷ୍ମୀ । ବୁଧବାର ଆଉ ତିନି ଜିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେବଗଡ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଛି । ୩ଟି ଜିଲ୍ଲାର ୪୪୦ଟି ପଞ୍ଚାୟତରେ ୧୦୧ଟି ବସ୍ ଚାଲିବ । ଏହା ଦ୍ୱାରା ୨୭ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ । ଦେବଗଡର ୬୯ଟି ପଞ୍ଚାୟତରେ ୧୭ଟି ବସ୍ ଚାଲିବାକୁ ଥିବାବେଳେ ଏହାଦ୍ବାରା ୩ ଲକ୍ ଉପକୃତ ହେବେ । ଅନୁଗୁଳରେ ୧୭୬ଟି ପଞ୍ଚାୟତରେ ୨୯ଟି ବସ୍ ଚାଲିବ ଏବଂ ୧୧ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ । ସେହିପରି ଢେଙ୍କାନାଳର ୧୯୫ଟି ପଞ୍ଚାୟତରେ ୫୫ଟି ବସ୍ ଚାଲିବ ଏବଂ ୧୩ ଲକ୍ଷ ଲୋକ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍ଷ୍ମୀ ବସ୍ ଆମ ଜୀବନକୁ ସହଜ କରିଛି । ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଏହା ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ । ଲକ୍ଷ୍ମୀ ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ୍ ସେବା ପାଇଥିଲେ ।

 

ଯୋଜନାରେ ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ । 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚାଳନା ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ରହିଛି । ଗାଁର ଅର୍ଥନୀତିକୁ ମଜବୁତ କରିବା ଆମର ଲକ୍ଷ୍ୟ। ଲକ୍ଷ୍ମୀ ବସ୍ ଏଥିରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ । ସେହିପରି ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଭବ ନେବା ପାଇଁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା ଆରମ୍ଭ କରାଯାଇଛି। ଏଥିରେ ମା’ମାନଙ୍କ ପାଇଁ ବସ୍ ଟିକେଟ ମୂଲ୍ୟ ଅଧା କରାଯାଇଛି । ଗାଁର ରୂପାନ୍ତର ପାଇଁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜାରି ରହିଛି ।

Comments are closed.