ମୁଖତାର୍ ଅନସାରୀଙ୍କୁ ୧୦ ବର୍ଷ ଜେଲ, ଜାଣନ୍ତୁ କାହିଁକି

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର୍ ଅନସାରୀକୁ ମିଳିଲା ୧୦ବର୍ଷ ଜେଲ ଦଣ୍ଡ। ଶନିବାର ଗାଜିପୁରର ଏକ କୋର୍ଟ ଗ୍ୟାଙ୍ଗଷ୍ଟର-ରାଜନେତା ମୁଖତାର୍ ଅନସାରୀକୁ ଅପହରଣ ଓ ହତ୍ୟା ମାମଲାରେ ୧୦ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।ଗ୍ୟାଙ୍ଗଷ୍ଟର ଅଧିନିୟମ ଅନୁଯାୟୀ ଏମପି-ଏମଏଲଏ କୋର୍ଟ ମୁଖତାର୍ ଅନସାରୀ ବିରୋଧରେ ଏହି ରାୟ ଶୁଣାଇଛନ୍ତି ଏବଂ ତାକୁ ୫ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖତାର୍ ଅନସାରୀ ଏବଂ ତା’ ବଡ଼ ଭାଇ ତଥା ବିଏସପି ସାଂସଦ ଅଫଜଲ ଅନସାରୀ ବିରୋଧରେ ଚାଲିଥିବା ଅପହରଣ ଓ ହତ୍ୟା ମାମଲାର ଶୁଣାଣି ପୂର୍ବରୁ କୋର୍ଟ ବାହାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିଲା। ୫ଥର ବିଧାୟକ ହୋଇଥିବା ମୁଖତାର ଅନସାରୀ ଉପରେ ୧୯୯୬ରେ ବିଶ୍ବ ହିନ୍ଦୁ ପରିଷଦ ନେତା ନନ୍ଦକିଶୋର ରଙ୍ଗଟାଙ୍କ ଅପହରଣ ଓ ୨୦୦୫ରେ ବିଜେପି ବିଧାୟକ କ୍ରିଷ୍ଣାନନ୍ଦ ରାୟଙ୍କ ହତ୍ୟା ଆରୋପ ଲାଗିଥିଲା। ଏବେ ମୁଖତାରକୁ ଦଣ୍ଡ ଦିଆଯାଇଥିବା ବେଳେ ତା’ ଭାଇକୁ ଆଗାମୀ ଦିନରେ ଦଣ୍ଡ ମିଳିବ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୯, ୨୦୦୫ରେ ପୂର୍ବାଚଲରେ ଏକ ବଡ଼ ଧରଣର ହତ୍ୟାକାଣ୍ଡ ସମଗ୍ର ରାଜ୍ୟକୁ ଥରାଇ ଦେଇଥିଲା। ଏହି ହତ୍ୟା ଗାଜୀପୁରର ମହମ୍ମଦାବାଦରୁ ବିଜେପି ବିଧାୟକ ଥିବା କୃଷ୍ଣାନନ୍ଦ ରାୟଙ୍କର ଥିଲା। ବିଧାୟକ କୃଷ୍ଣାନନ୍ଦ ରାୟଙ୍କ ସମେତ ୭ଜଣଙ୍କୁ ମହମ୍ମଦାବାଦର ବସନିଆ ଚଟ୍ଟିରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ଏକେ-୪୭ ମଧ୍ୟ ବ୍ୟବହୃତ ହୋଇଥିଲା। ୨ବର୍ଷ ପରେ ୨୦୦୭ରେ ଏହି ଘଟଣାକୁ ନେଇ ଗ୍ୟାଙ୍ଗଷ୍ଟର ଅଧିନିୟମ ଅନୁଯାୟୀ ମୁଖତାର୍ ଅନସାରୀ, ତା’ ଭାଇ ଅଫଜଲ ଅନସାରୀ ଏବଂ ତାଙ୍କ ଭିଣୋଇ ଏଜାଜୁଲ ହକ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଘଟଣା ସହ ବିଶ୍ୱ ହିନ୍ଦୁ ପରିଷଦର କୋଷାଧ୍ୟକ୍ଷ ତଥା କୋଇଲା ବ୍ୟବସାୟୀ ନନ୍ଦକିଶୋର ରଙ୍ଗଟା ଅପହରଣ ମାମଲାରେ ମଧ୍ୟ ଯୋଡ଼ା ଯାଇଥିଲା।

Comments are closed.