କେଜ୍ରିୱାଲଙ୍କୁ ରିପୋର୍ଟ ମାଗିଲେ ଉପ ରାଜ୍ୟପାଳ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ସରକାରୀ ବାସଭବନ ନବୀକରଣରେ ଅନିୟମିିତତା ‌ହୋଇଥିବା ଅଭିଯୋଗ ସଂକ୍ରାନ୍ତ ରିପୋର୍ଟ ବିଷୟରେ ଅବଗତ ହୋଇ ଉପରାଜ୍ୟପାଳ ବିନୟ କୁମାର ସାକ୍‌ସେନା ଆଜି ଘଟଣାର ତଦନ୍ତ ଆଦେଶ ଦେବା ସହିତ ଦିଲ୍ଲୀ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି।
ସୂଚନାଯୋଗ୍ୟ, ଦିଲ୍ଲୀର ସିଭିଲ୍‌ ଲାଇନ୍‌ସ୍‌ସ୍ଥିତ ୬, ଫ୍ଲାଗ୍‌ପାଷ୍ଟ୍‌ ରୋଡ୍‌ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନର ସୌନ୍ଦର୍ଯ୍ୟକରଣ ବାବଦରେ ୪୫ କ‌ୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ‘ବିଜେପି’ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନାଁରେ ଅଭିଯୋଗ କରିବା ପରେ ବିବାଦ ଆରମ୍ଭ ହୋଇଥିଲା।

ଏ ଘଟଣାରେ ଦିଲ୍ଲୀ ସରକାରଙ୍କ ରେକର୍ଡ ଯାଞ୍ଚ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ଲାଗି ଉପରାଜ୍ୟପାଳ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି।

ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ବାସଭବନ ନବୀକରଣରେ ହୋଇଥିବା ଅନିୟମିତତା ସଂକ୍ରାନ୍ତରେ ଗଣମାଧ୍ୟମ ରିପୋର୍ଟରୁ ଅବଗତ ହେବା ପରେ ଘଟଣାର ସମ୍ବେଦନଶୀଳତା ପ୍ରତି ଦୃଷ୍ଟି ଦେଇ ଦିଲ୍ଲୀ ଉପରାଜ୍ୟପାଳ ଏହି ଘଟଣା ସହିତ ସମ୍ପୃକ୍ତ ଥିବା ସମସ୍ତ ରେକର୍ଡ ବା ଫାଇଲ୍‌ ଆଦି ସୁରକ୍ଷିତ ରଖିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି। ଏହା ପରେ ଉକ୍ତ ରେକର୍ଡ ସବୁ ଯାଞ୍ଚ କରାଯାଇ ୧୫ ଦିନ ମଧ୍ୟରେ ତଥ୍ୟ ସମ୍ବଳିତ ରିପୋର୍ଟ ଦାଖଲ କରାଯିବ।

Comments are closed.