ସଂସଦରେ ହନୁମାନ ଚାଳିଶା ପାଠ କଲେ ସାଂସଦ

ନୂଆଦିଲ୍ଲୀ: ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଦେ ଆଜି ଲୋକସଭାରେ ଉଦ୍ଧବ ଠାକ୍‌ରେଙ୍କ ସେନା ଗୋଷ୍ଠୀ ଉପରେ ପ୍ରବଳ ବର୍ଷିଛନ୍ତି। ହିନ୍ଦୁତ୍ବ ଏବଂ ବାଲ୍‌ ଠାକରେଙ୍କ ବିଚାରଧାରାକୁ ତ୍ୟାଗ କରିଥିବା ନେଇ ଶ୍ରୀକାନ୍ତ ସିନ୍ଦେ ଠାକ୍‌ରେ ଗୋଷ୍ଠୀ ଉପରେ ଆକ୍ରମଣ କରିଛନ୍ତି ଏବଂ ଲୋକସଭାରେ ହନୁମାନ ଚାଳୀସା ପାଠ କରିଛନ୍ତି। କଲ୍ୟାଣ ଲୋକସଭା ସାଂସଦ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ଆଜି ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର ଆକ୍ରମଣ କରି କହିଛନ୍ତି, ୟୁପିଏ ଦୁର୍ନୀତିର ଏକ ପ୍ରତିଶବ୍ଦ ହୋଇଯିବାରୁ ସେମାନେ ସେମାନଙ୍କ ମେଣ୍ଟର ନାଁ ବଦଳାଇ ଇଣ୍ଡିଆ କରିଦେଲେ। ତେବେ ଏହା ଏନ୍‌ଡିଏ ବନାମ ଇଣ୍ଡିଆ ନୁ‌ହେଁ ବରଂ ଏହା ସ୍କିମ୍‌ ବନାମ ସ୍କାମ୍‌ ତଥା ଯୋଜନା ବନାମ ଦୁର୍ନୀତି।

ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସିନ୍ଦେ କହିଛନ୍ତି, ଶିବସେନାର ଉଦ୍ଧବ ଠାକ୍‌ରେ ଗୋଷ୍ଠୀ ଭୋଟରଙ୍କୁ ଠକିଛନ୍ତି। ୨୦୧୯ରେ ସେମାନେ ବିଜେପି ସହ ନିର୍ବାଚନ ଲଢ଼ିଲେ କିନ୍ତୁ ପରେ ସେମାନେ ମେଣ୍ଟ ଭାଙ୍ଗିଦେଇ ‌ ଲୋକଙ୍କ ସହ ବିଶ୍ବାସଘାତ କଲେ। ସେମାନେ ହିନ୍ଦୁତ୍ବ ବିଚାରଧାରାକୁ ବିକିଦେଲେ ଏବଂ ବାଲାସାହେବଙ୍କ ବିଚାରଧାରାରୁ ଦୂରେଇ ରହିଲେ। ସିନ୍ଦେ କହିଛନ୍ତି, ମହାରାଷ୍ଟ୍ରରେ ଲୋକଙ୍କୁ ହନୁମାନ ଚାଳୀସା ପାଠ କରିବାକୁ ଦିଆଯାଉନି। ତେବେ ସେ ନିଜେ ହନୁମାନ ଚାଳିଶା ଜାଣିଥିବା କହିଥିଲେ ଏବଂ ଏହାପରେ ହନୁମାନ ଚାଳୀସା ପାଠ କରିଥିଲେ। କିନ୍ତୁ ବାଚସ୍ପତି ତାଙ୍କୁ ତାଙ୍କ ଭାଷଣ ଜାରି ରଖିବାକୁ କହିବାରୁ ସେ ଅଧାରୁ ହନୁମାନ ଚାଳୀସା ପାଠ କରିବା ବନ୍ଦ କରିଦେଇଥିଲେ।

Comments are closed.