ମୋକିମଙ୍କୁ କାରଣ ଦର୍ଶାଓ ନୋଟିସ
ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ସରିଲା । ଏବେ ଆକ୍ସନ ଆରମ୍ଭ । ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇଥିବା କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି ଶରତ ପଟ୍ଟନାୟକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଏହି ନୋଟିସ ଜାରି କରାଯାଇଛି । ଆସନ୍ତା ୨ ସପ୍ତାହ ଭିତରେ ଏହାର ଜବାବ ଦେବାକୁ ବିଧାୟକ ମହମ୍ମଦ ମୋକିମଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ନୋଟିସ ଜାରି ହୋଇଥିବା ସମ୍ପର୍କରେ କଂଗ୍ରେସ ମିଡିଆ ସେଲ ମୁଖ୍ୟ ସତ୍ୟ ନାୟକ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ଗତ ୧୮ ତାରିଖ ଦିନ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । କଂଗ୍ରେସର ନିଷ୍ପତ୍ତି ସତ୍ତ୍ୱେ ସେ ଦ୍ରୌପଦୀଙ୍କୁ ଭୋଟ ଦେଇଥିଲେ । ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବା ପରିବର୍ତ୍ତେ ମହମ୍ମଦ ମୋକିମ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ । ଭୋଟେ ଦେବା ପରେ ସେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ମାଟିର ଝିଅଙ୍କୁ ମୁଁ ଭୋଟ ଦେଇଛି । ଜଣେ ଓଡ଼ିଆ ହିସାବରେ ମୋର ଏ ନିଷ୍ପତ୍ତି । ମୋ ନିଜ ବିବେକକୁ ପଚାରି ମୁଁ ଭୋଟ ଦେଇଛି । ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି । ତେବେ ଦଳୀୟ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ନମାନି ଦ୍ରୌପଦି ମୁର୍ମୁଙ୍କୁ ଭୋଟ ଦେବା ପରିପ୍ରେକ୍ଷୀରେ ସେ କହିଥିଲେ ଯେ ଦ୍ରୌପଦୀଙ୍କ ବିଜୟରେ ମୋ ଭୋଟ ଖଣ୍ଡିକ ମିଶିଲେ ମୁଁ ଗର୍ବିତ ହେବି । ମୁଁ ବିଜେଡି ଓ ବିଜେପିର ରାଜନୀତିରେ ପଶିବାକୁ ଚାହୁଁନି । ମୁଁ ମୋ ବିବେକ ଅନୁସାରେ ଭୋଟ ଦେଇଛି । ରାଷ୍ଟ୍ରପତି ନିର୍ବାଚନରେ ହୁଇପ ନଥାଏ, ତେଣୁ ମୁଁ ମୋ ବିବେକ ଅନୁସାରେ ଜଣେ ଓଡ଼ିଆ ଝିଅଙ୍କୁ ଭୋଟ ଦେଇଛି ।
Comments are closed.